ଏଣିକି ସରକାରୀ ଅଫିସର ଚକ୍କର କାଟିବାରୁ ମିଳିବ ମୁକ୍ତି : ମାତ୍ର ଗୋଟିଏ ଫୋନ୍ କଲ୍ ରେ ଘରେ ବସି ଉଠାଇପାରିବେ ସରକାରୀ ସେବାର ଲାଭ । ଜାଣନ୍ତୁ କେଉଁଠି

47

ଦିଲ୍ଲୀ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଡୋର ଷ୍ଟେପ୍ ଡେଲିଭରି ଅଫ୍ ସର୍ଭିସେସ୍’ ଆରମ୍ଭ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଦ୍ୱାରା ଦିଲ୍ଲୀ ସଚିବାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଇଯାଇଛି । “ଆଜି ଦୁନିଆ ପାଇଁ ଐତିହାସିକ ଦିନ । ଏପର୍ଯ୍ୟନ୍ତ ପିଜ୍ଜାର ହୋମ ଡେଲିଭରୀ ହେଉଥିଲା କିନ୍ତୁ ଏବେ ସରକାରଙ୍କୁ ଫୋନ୍ କଲେ, ସରକାର ଘରେ ପହଂଚିଯିବେ । ଏହା ଏକ ଛୋଟ କିନ୍ତୁ ମଜବୁତ୍ ପଦକ୍ଷେପ । ଏହି ଯୋଜନା ଅଧିନରେ ଏବେ ୪୦ ସେବା ଆରମ୍ଭ କରାଯାଇଛି । ଆସନ୍ତା ମାସ ୩୦ ଆହୁରି ସେବା ଏହା ସହ ସଂଲଗ୍ନ କରାଯିବ । ଏହି ଯୋଜନାର ସୀମାକୁ ଧୀରେ ଧୀରେ ବଢ଼ାଯିବ”, ଶୁଭାରମ୍ଭ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ‘ଡୋର ଷ୍ଟେପ୍ ଡେଲିଭରୀ ଅଫ୍ ସର୍ଭିସେସ୍’ ଯୋଜନାର ଲାଭ ଉଠାଇବା ପାଇଁ ସାଧାରଣ ଲୋକଙ୍କୁ ୧୦୭୬ ନମ୍ବରକୁ ଫୋନ୍ କରିବାକୁ ହେବ । ଏହାପରେ ସରକାରଙ୍କ କାର୍ଯ୍ୟକାରୀ ଅଧିକାରୀ ଆପଣଙ୍କ ଘରକୁ ଆସିବେ । ସେମାନେ ଆପଣଙ୍କୁ ପୂର୍ବରୁ ଜଣାଇଦେବେ ଯେ, ଆପଣଙ୍କୁ କେଉଁ କାଗଜପତ୍ର ପ୍ରସ୍ତୁତ କରି ରଖିବାର ଅଛି । ଆପଣଙ୍କ ସୁବିଧା ଅନୁଯାୟୀ ସରକାରଙ୍କ କାର୍ଯ୍ୟକାରୀ ଅଧିକାରୀ ଆପଣଙ୍କ ପାଖକୁ ଆସିବେ । ସମସ୍ତ ଆବଶ୍ୟକୀୟ ଦସ୍ତାବିଜ୍ ଉପଲବ୍ଧ କରାଇବା ପରେ ଏକ ନିଶ୍ଚିତ ସମୟରେ ସାର୍ଟିଫିକେଟ୍ ଉପଲବ୍ଧ କରାଯିବ । ଏହି ସୁବିଧା ପାଇଁ ୫୦ ଟଙ୍କା ଶୁଳ୍କ ନିଆଯିବ । ଯଦି ଫୋନ୍ କରିବା ପରେ ଫୋନ୍ ଉଠାଉନାହାଁନ୍ତି ବା ଲାଇନ୍ ବ୍ୟସ୍ତ ଆସୁଛି, ତେବେ ଚିନ୍ତା କରନ୍ତୁନି । ସେବା ଉପଲବ୍ଧ କରାଉଥିବା କମ୍ପାନୀ ଆପଣଙ୍କୁ ପୁଣି ଫୋନ୍ କରିବ । ସେବା ନେଉଥିବା ଲୋକଙ୍କ ଠାରୁ ମତାମତ ନିଆଯିବ । କମ୍ପାନୀର ପେମେଣ୍ଟ ଲୋକଙ୍କୁ ସନ୍ତୁଷ୍ଟ କରୁଥିବା ଭଳି ହେବ । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଯଦି ୨୫ ଲକ୍ଷ ଲୋକ ଏହି ଯୋଜନାର ବ୍ୟବହାର କରୁଛନ୍ତି, ତେବେ ଏହି ସେବା ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ସରକାରଙ୍କ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ଡୋର ଷ୍ଟେପ୍ ଡେଲିଭରୀ ଯୋଜନା ଅଧିନରେ ମିଳିବ ଏହି ସବୁ ସୁବିଧା : ଏହି ସ୍କିମ୍ ରେ ଡ୍ରାଇଭିଙ୍ଗ ଲାଇସେନ୍ସ, ସବୁ ପ୍ରକାରର ସାର୍ଟିଫିକେଟ୍, ପ୍ରମାଣ ପତ୍ର ଆଦି ସୁବିଧା ଗୋଟିଏ କଲ୍ ରେ ଆପଣଙ୍କ ଘରେ ପହଂଚିବ । ଏହି ଯୋଜନା ଅଧିନରେ ଆପଣଙ୍କ ଘରକୁ ସରକାର ଦ୍ୱାରା ନିଯୁକ୍ତ କରାଯାଇଥିବା ମୋବାଇଲ୍-ସହାୟକ ଆସିବ । ଏହି ମୋବାଇଲ୍-ସହାୟକ ହିଁ ସେବା ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଧାରିତ ଫିସ୍ ନେଇ ଦସ୍ତାବିଜ୍ ବ୍ୟତୀତ ମେସିନ୍ ରେ ଆଙ୍ଗୁଠିର ଚିହ୍ନ ଲଗାଇବା ସହିତ ସମସ୍ତ ସୁବିଧା ଆପଣଙ୍କ ଘରେ ଉପଲବ୍ଧ କରାଇବ । ଏହି ମୋବାଇଲ୍-ସହାୟକ ସେବା ଯୋଗାଇବା ପାଇଁ ଜନତାଙ୍କ ନିର୍ଦ୍ଧାରିତ ସମୟ ଓ ତାରିଖରେ ହିଁ ଯାଇପାରିବ । ସରକାରୀ ଅଫିସର ଚକ୍କର କାଟିବାରୁ ମୁକ୍ତି ମିଳିବ ।