କନକ ବ୍ୟୁରୋ: ବ୍ୟାଙ୍କ ଘରୋଇକରଣୀକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇବେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ କର୍ମଚାରୀ । ଚଳିତ ମାସରେ ଦୁଇ ଦିନ ଧରି ଏହି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ସଂସଦର ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ଏକ ବିଲକୁ ବିରୋଧ କରି ଏହି କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂସଦରେ ଆଗତ ହେବାକୁ ଥିବା ବ୍ୟାଙ୍କିଙ୍ଗ୍ ଆଇନ୍ (ସଂଶୋଧନ୍) ବିଲ୍,୨୦୨୧କୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ (ୟୁଏଫବିୟୁ) ବିରୋଧ କରୁଛନ୍ତି । ଯାହାକୁ ନେଇ ଏହି ସଙ୍ଗଠନ ଆସନ୍ତା ଡିସେମ୍ବର ୧୬ ଓ ୧୭ ତାରିଖରେ ଧର୍ମଘଟ କରିବାକୁ ଘୋଷଣା କରିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ଅଲଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ ଫେଡେରେସନର ମହାସଚିବ ସଞ୍ଜୟ ଦାସଙ୍କ କହିବା କଥା,ପବ୍ଲିକ୍ ସେକ୍ଟର ବ୍ୟାଙ୍କର ଘରୋଇକରଣ ଅର୍ଥବ୍ୟବସ୍ଥାର ପ୍ରାଥମିକ କ୍ଷେତ୍ରକୁ କ୍ଷତି ପହଞ୍ଚାଇବ । ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ସେହିପରି ଅଲଇଣ୍ଡିଆ ବ୍ୟାଙ୍କ୍ କର୍ମଚାରୀ ଆସୋସିଏସନର ମହାସଚିବ ସିଏଚ୍ ଭେଙ୍କଟଚଲମ କହିଛନ୍ତି, ଗତ ୨୫ ବର୍ଷ ହେଲା ୟୁଏଫବିୟୁ ବ୍ୟାନର ତଳେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଏଭଳି ପରିବର୍ତ୍ତନକୁ ସେମାନେ ବିରୋଧ କରିଆସୁଛନ୍ତି । ଏହାଦ୍ୱାରା ବ୍ୟାଙ୍କ୍ ଗୁଡିକ କ୍ଷତି ସହିବେ ବୋଲି ସେ କହିଛନ୍ତି ।
हमने आंदोलन की शुरुआत में आगाह किया था कि अगला नंबर बैंकों का होगा। नतीजा देखिए, 6 दिसंबर को संसद में सरकारी बैंकों के निजीकरण का बिल पेश होने जा रहा है। निजीकरण के खिलाफ देशभर में साझा आंदोलन की जरूरत है । #StopPrivatization
— Rakesh Tikait (@RakeshTikaitBKU) December 4, 2021
ଅନ୍ୟପଟେ ଚାଷୀ ନେତା ରାକେଶ ଟିକାୟତ ମଧ୍ୟ ଏହି ଘଟଣାକୁ ନେଇ ଟୁଇଟ୍ କରିଛନ୍ତି । ସେ କହିଛନ୍ତି, ସେ ପ୍ରଥମରୁ ଲୋକଙ୍କୁ ସଚେତନ କରୁଥିଲେ ଯେ, ଆଗାମୀ ଟାର୍ଗେଟ ହେଉଛି ବ୍ୟାଙ୍କିଙ୍ଗ୍ ସେକ୍ଟର । ଏବେ ଫଳାଫଳ ଦେଖନ୍ତୁ, ସଂସଦରେ ସରକାରୀ ବ୍ୟାଙ୍କର ଘରୋଇକରଣ ପାଇଁ ବିଲ୍ ଆଗତ ହେବାକୁ ଯାଉଛି । ଘରୋଇକରଣ ବିରୋଧରେ ଦେଶରେ ଆନ୍ଦୋଳନ ଜରୁରୀ ଅଟେ ।
ସୂଚନାଯୋଗ୍ୟ ଯେ, ୟୁଏଫବିୟୁରେ ସଦସ୍ୟ ଥିବା, ଅଲଇଣ୍ଡିଆ ବ୍ୟାଙ୍କ୍ କର୍ମଚାରୀ ଆସୋସିଏସନ, ଅଲଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନଫେଡେରେସନ, ନ୍ୟାସନାଲ କନଫେଡେରେସନ ଅଫ୍ ବ୍ୟାଙ୍କ ଏମ୍ପେ୍ଲାଇଜ୍, ଅଲଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ ଆସୋସିଏସନ୍ ଏବଂ ବ୍ୟାଙ୍କ କର୍ମଚାରୀ କନଫେଡେରେସନ୍ ଅଫ୍ ଇଣ୍ଡିଆ ଏହି ଧର୍ମଘଟରେ ସାମିଲ ହେବେ ।