ଭୋଟିଂରେ ଭାରି ବିରୋଧ: ମୋଟା ଅଙ୍କର ଜରିମାନାକୁ ଜୁଲମ କହିଲେ ସାଧାରଣ ଲୋକେ

702

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସମସ୍ତଙ୍କ ଆଖିରୁ ନିଦ ହଜିଛି । ଟ୍ରାଫିକ ବ୍ୟବସ୍ଥା କଡାକଡି ହେବା ପରେ ଏବେ ସମସ୍ତଙ୍କ ମନଙ୍କ କୋକୁଆ ଭୟ ଖେଳି ଯାଇଛି । ଘରୁ ଗାଡି କାଢିଲା ବେଳକୁ ଶହେ ଥର ଭାବିବାକୁ ପଡୁଛି । କାରଣ ଛକ ଛକରେ ଛକି ବସିଛନ୍ତି ଟ୍ରାଫିକ ପୋଲିସ ଆଉ ଟିକେ ନିୟମ ଉଲ୍ଲଙ୍ଘନ କଲେ ମାଡି ବସୁଛନ୍ତି । ବିଭିନ୍ନ କାରଣ ଦେଖାଇ ଗାଡି ଉପରେ ଲଗାଉଛନ୍ତି ମନଇଚ୍ଛା ଫାଇନ । କାହା ଉପରେ ୫୨ ହଜାର ତ କାହା ଉପରେ ୨୭ ହଜାର । ଯାହାକୁ ଧରୁଛନ୍ତି ସବୁ ହଜାରେ ଉପରେ କଥାବାର୍ତ୍ତା । ତେଣୁ ସାଧାରଣ ଚାଳକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି ।

ତେବେ ଟ୍ରାଫିକ ପୋଲିସ ଚାଳକଙ୍କ ଠାରୁ ମୋଟା ଅଙ୍କର ଫାଇନ ନେଉଥିବାର ଅଭିଯୋଗ ଆସିବା ପରେ ସୋସିଆଲ ମିଡିଆରେ ଆମେ କରିଥିଲୁ ମତ ସଂଗ୍ରହ । ‘ମୋଟା ଅଙ୍କର ଜରିମାନା ଆଦାୟ ହେବା ଉଚିତ କି’ ବୋଲି ପ୍ରଶ୍ନ ଲେଖି ସାଧାରଣ ଲୋକଙ୍କ ମତ ଲୋଡିଥିଲୁ । ତେବେ ପ୍ରଶ୍ନ ପଚାରିବାର ୨୪ ଘଣ୍ଟା ମଧ୍ୟରେ ହଜାର ହଜାର ଲୋକ ନିଜର ମତ ରଖିଥିଲେ ।

୪ ଘଣ୍ଟାରେ ୨୦ ହଜାରରୁ ଅଧିକ ଲୋକ ଏହି ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇ ନିଜର ମତ ରଖିଛନ୍ତି । ତେବେ ୧୦୦ ପ୍ରତିଶତ ଭୋଟରୁ ମୋଟା ଅଙ୍କର ଜରିମାନା ଆଦାୟକୁ ୭୦ ପ୍ରତିଶତ ଲୋକେ ବିରୋଧ କରିଥିଲେ ଆଉ ୩୦ ପ୍ରତିଶତ ଲୋକ ନିୟମ ସପକ୍ଷରେ ଯାଇଥିଲେ ।

ତେଣୁ ଭୋଟିଂ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଏତେ ବଡ ଜରିମାନା ଲଗାଇବାକୁ ଲୋକେ ବିରୋଧ କରୁଥିବା ବେଳେ ଏହା ଜରିମାନା ନୁହେଁ ଜୁଲମ ବୋଲି ମତ ରଖିଛନ୍ତି ।