ପୁଲିସ୍ ଉପରେ ପବ୍ଲିକ୍ ନଜର । ନିୟମ ଲାଗୁ ହେବାର ୮ ଦିନ ବିତିନି, ଜରିମାନା କୋହଳ କରିବାକୁ ସରକାର ନେଲେ ନିଷ୍ପତି । ଜାଣନ୍ତୁ କେଉଁ କାରଣ ପାଇଁ ସରକାର ନେଇଥାଇପାରନ୍ତି ଏଭଳି ନିଷ୍ପତି ।

1,051

କନକ ବ୍ୟୁରୋ : ଜରିମାନା କୋହଳ ନେଇ ନିଷ୍ପତି ଆସିବା ପରେ ଆପଣମାନେ ଏବେ ଆଶ୍ୱସ୍ତ ଥିବେ । ହୁଏତ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଜନତାଙ୍କୁ ସୁହାଇଲା ଭଳି ନିଷ୍ପତି ଅଚାନକ୍ ପୁଣି ନିଆଗଲା କେମିତି? ତେବେ ଏହି ୮ଦିନ ଭିତରେ ଏମିତିି କିଛି ଘଟଣା ଘଟିଛି, ଯାହା ସରକାରଙ୍କୁ ଏଦିଗରେ ପୁର୍ନବିଚାର କରିବାକୁ ବାଧ୍ୟ କରିିଛି । ନଜର ପକାନ୍ତୁ କେଉଁ ସବୁ ଘଟଣା ସରକାରଙ୍କୁ ବାଧ୍ୟ କରିଥାଇପାରେ ।

ରାଜମହଲ ଛକର ଜରିମାନା ଯୁଦ୍ଧ । ପୁଲିସ ଉପରେ ହେଲା ପବ୍ଲିକ ରେଡ୍ । ଅଚାନକ୍ ପୁଲିସ୍ ପାଟ୍ରୋଲିଂ ଗାଡ଼ିକୁ ଘେରିଗଲେ ଜନତା । ସରକାରୀ ଗାଡ଼ିର କାଗଜପତ୍ର ଯାଂଚ୍ ପାଇଁ ଅଡିବସିଲେ ଲୋକ । ରାଜଧାନୀର ରାସ୍ତା ମଝିରେ କ୍ରୋଧିତ ଜନସାଧାରଣଙ୍କର ଶିକାର ହେଲା ପୁଲିସ୍ । ଲୋକଙ୍କ ଭିତରେ ଥିବା ପୁଂଜିଭୂତ ଅସନ୍ତୋଷ ଏଭଳି ଭାବରେ ସାମ୍ନାରେ ଆସିଥିଲା ଯେ, ପୁଲିସ୍ ଓ ପବ୍ଲିକ ମୁହାଁମୁହିଁ ହୋଇଥିଲେ । ଲୋକଙ୍କମାନେ ପାଟ୍ରୋଲିଂ ଗାଡ଼ିକୁ ଭଙ୍ଗାରୁଜା କରିଥିବା ବେଳେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠି ଚାର୍ଚ୍ଚ ମଧ୍ୟ କରିବାକୁ ପଡ଼ିଥିଲା ।

ଛତ୍ରପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ ବିନା ସିଟ ବେଲ୍ଟରେ ଗାଡିରେ ବସିଥିିବା ଯୋଗୁଁ ମଝି ରାସ୍ତାରେ ହେଲେ ହଟହଟା । ଅତିରିକ୍ତ ଆରଟିଓ ସାନ୍ତୁନ କୁମାର ପରିଡା ଜାତୀୟ ରାଜପଥରେ ଚେକିଂ ସାରି ଫେରୁଥିବା ବେଳେ ଗାଡିରେ ସିଟବେଲ୍ଟ ବାନ୍ଧି ନଥିଲେ । ଯାହାକୁ ଦେଖି ଲୋକ ପ୍ରଶ୍ନ କରିଥିଲେ । ଏମିତିକି ଅତିରିକ୍ତ ଆରଟିଓଙ୍କୁ କାହିଁକି ସିଟ୍ ବେଲ୍ଟ ବ୍ୟବହାର କରୁନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ । ପ୍ରଶ୍ନ କରିଥିଲେ- ନିୟମ ଜଗୁଥିବା ଲୋକ ନିୟମ ଭାଙ୍ଗୁଛନ୍ତି କିଭଳି?

ରାଜଧାନୀର ଫ୍ଲାଏଓଭରରେ ବୀରଦର୍ପରେ ସ୍କୁଟି ନେଇ ଯାଉଥିବା ଏହି ମହିଳା ପୁଲିସ୍ କର୍ମଚାରୀଙ୍କ ଉପରେ ପଡ଼ିଥିଲା ପବ୍ଲିକର ନଜର । ମହିଳା ପୁଲିସ୍ କର୍ମଚାରୀ ଜଣକ ବିନା ହେଲମେଟ୍ ପିନ୍ଧି ଯାଉଥିବାରୁ ତାଙ୍କୁ ପ୍ରଶ୍ନ କରଥିଲେ କାରରେ ଯାଉଥିବା ଦୁଇ ଜଣ ଯୁବକ । ଯୁବକଙ୍କ ପ୍ରଶ୍ନ ଥିଲା, ପୁଲିସ୍ କର୍ମଚାରୀଙ୍କ ପାଇଁ ଲାଗୁ ହୁଏନି କି ନୁଆ ଟ୍ରାଫିକ୍ ନିୟମ । ଜନତାଙ୍କ ଏଭଳି ପ୍ରଶ୍ନର ଉତର ନଥିଲା ମ୍ୟାଡମଙ୍କ ପାଖରେ । ଆଉ ତୁରନ୍ତ ସେଠୁ ଉଭାନ୍ ହୋଇଯାଇଥିଲେ ପୁଲିସ୍ କର୍ମଚାରୀ ।

ଏଭଳି ତମାମ୍ ଘଟଣା ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିବାରେ ଲାଗିଛି । ଯେଉଁଠି ପୁଲିସ୍ ଓ ଟ୍ରାଫିକ୍ ପୁଲିସ୍ ଉପରେ ନଜର ରଖୁଛନ୍ତି ସାଧାରଣ ଜନତା । ତେଣୁ ଜନତାଙ୍କ କ୍ରୋଧ ଓ ସମସ୍ୟାକୁ ଦୃଷ୍ଟିରେ ରଖି, ଜରିମାନାକୁ ୩ ମାସ ଯାଏଁ କୋହଳ କରିବାକୁ ନିଷ୍ପତି ନେଇଥାଇପାରନ୍ତି ସରକାର ।