କନକ ବ୍ୟୁରୋ : ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନହେବାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କରେନା କଟକଣା ଗାଇଡଲାଇନ ଭିତରେ ରଥଯାତ୍ରା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଆଇନଜୀବୀ ବିପ୍ଲବ କୁମାର ତ୍ରିପାଠୀଙ୍କ ଜରିଆରେ ମାନ୍ୟବର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।
ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ବିରଜା ରଥୋତ୍ସବ ଅନୁଷ୍ଠିତ ହେବାକୁ ଅଛି। ତେବେ ରଥଯାତ୍ରା ବନ୍ଦ ହୋଇଗଲେ ଧର୍ମୀୟ ଭାବନା କୁଠାରଘାତ ହେବା ସହ ଦୀର୍ଘ ବର୍ଷର ପରମ୍ପରା ଛିନ୍ନ ହେବ। ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉନଥିବା ବେଳେ ତାହା କେବଳ ବିରଜାକ୍ଷେତ୍ରରେ ମାଙ୍କ ରଥଯାତ୍ରା କରାଯାଏ। ତେହାକୁ ବନ୍ଦ କରିବା ଉଚିତ ନୁହଁ ବୋଲି ବିରଜା ମନ୍ଦିର ସେବାୟତ ପରିଷଦ ଦାବି କରିଛି। ତେଣୁ ଯେଉଁ ପରି ଭାବେ ମାନ୍ୟବର ହାଇକୋର୍ଟ ଓ ସୁପ୍ରମିକୋର୍ଟ ପୁରୀ ରଥଯାତ୍ରା ହେବା ଉପରେ ବିଚାର କରି ରାୟ ପ୍ରକାଶ କରିଥିଲେ ଯାଜପୁରରେ ବି ସମାନ ଢ଼ଙ୍ଗରେ କରୋନା କଟକଣା ଭିତରେ ରଥଯାତ୍ରା କରିବାକୁ ଅନୁମତି ମିଳୁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।