ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କୋର୍ଟ କହିଲେ, ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର।

194

କନକ ବ୍ୟୁରୋ: ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର ରହିଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି । ଏହାସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ଧର୍ମର ଲୋକେ କେବଳ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଭଗବାନ ଭାବେ ବିବେଚନା କରି ପୂଜାର୍ଚ୍ଚନା କରନ୍ତୁ ବୋଲି ପିଆଇଏଲରେ ଆବେଦନ କରାଯାଇଥିଲା । ଏହି ପିଆଇଏଲରେ ସରକାରଙ୍କ ସମେତ ସମସ୍ତ ରାଜନୈତିକ ଦଳକୁ ପକ୍ଷଭୁକ୍ତ କରାଯାଇଥିଲା । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ଜୋରିମାନା ନଦେବାକୁ ଆବେଦନକାରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଆପଣ ପିଆଇଏଲର ଅପବ୍ୟବହାର କରିଛନ୍ତି । ଜନସ୍ୱାର୍ଥ ମାମଲାର ଅପବ୍ୟବହାର କରିବାର ଅଧିକାର କାହାର ନାହିଁ । ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏଠାକାର ପ୍ରତ୍ୟେକ ବ୍ୟକ୍ତି ନିଜ ଧର୍ମ ଅନୁସାରେ ପୂଜାର୍ଚ୍ଚନା କରିବା ଏବଂ ନିଜ ନିଜର ଇଷ୍ଟଦେବତାଙ୍କ ପୂଜାର୍ଚ୍ଚନା କରିବାର ଅଧିକାର ରହିଛି । ତେଣୁ ଏଭଳି ଜନସ୍ୱାର୍ଥ ମାମଲା ଦାୟର କରିବା ପୂର୍ବରୁ ଆବେଦନକାରୀଙ୍କୁ ବାରମ୍ବାର ଭାବିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।