କନକ ବ୍ୟୁରୋ : କଡା ସୁରକ୍ଷା ବଳୟରେ ଶେଷ ହେଲା ଜନ ଶୁଣାଣି । ମାଲକାନଗିରି ପଡିଆ ଅଞ୍ଚଳରେ ଏକ ସିମେଣ୍ଟ କାରଖାନା ସ୍ଥାପନ ଲାଗି ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରକଳ୍ପକୁ ବାରମ୍ବାର ବିରୋଧ କରି ଆସୁଥିଲେ ଗ୍ରାମବାସୀ । ତେବେ ଆଜି ୩୦ ପ୍ଲାଟୁନ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜନଶୁଣାଣି ହୋଇଛି । ବଛା ବଛା ଲୋକଙ୍କ ଉପସ୍ଥିତିରେ ମାଟାପାକା ଗାଁରେ ଜନ ଶୁଣାଣି ସମ୍ପନ୍ନ ହୋଇଛି । ତେବେ ଅନେକ ଆଦିବାସୀ ନେତାଙ୍କୁ ସଭା ସ୍ଥଳକୁ ଛଡା ଯାଇନଥିବାରୁ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ପୁଲିସ ଛାଉଣିରେ ପରିଣତ ପୁରା ଇଲାକା । ସ୍ୱତନ୍ତ୍ର ଦୁର୍ଗ ମଧ୍ୟରେ ହେଲା ଜନଶୁଣାଣି । ମାଲକାନଗିରି ଜିଲ୍ଲାର କୋତାମାଟେରୁ ଅଞ୍ଚଳରେ ଏକ ସିମେଣ୍ଟ କାରଖାନା ସ୍ଥାପନ ନେଇ ଜନଶୁଣାଣି ହୋଇଛି । ୩୦ ପ୍ଲାଟୁନ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଓ ବଛା ବଛା ଲୋକଙ୍କ ଉପସ୍ଥିତିରେ ମାଟାପାକା ଗାଁରେ ଜନ ଶୁଣାଣି ସମ୍ପନ୍ନ ହୋଇଛି । ପୁରା ମାଟାକା ଗାଁକୁ ଚାରି ପଟୁ ଘେରି ରଖିଛି ପୁଲିସ । ପଡିଆ ଓ ମାଲକାନଗିରି ବ୍ଲକର ୧୦ରୁ ଅଧିକ ଗ୍ରାମପଞ୍ଚାୟତର ଲୋକେ ଭିଟା ମାଟି ଓ ଜଙ୍ଗଲ ଜମି ଉପରୁ ଅଧିକାର ହରାଇବା ଭୟରେ ଏହି ପ୍ରକଳ୍ପକୁ ବାରମ୍ବାର ବିରୋଧ କରି ଆସୁଥିଲେ । ଆଜି ଲୋକଙ୍କ ଅଭିଯୋଗ ଓ ମତାମତ ଶୁଣିଛନ୍ତି ପ୍ରଶାସନ ଓ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ।
ବାହାରେ ବିପକ୍ଷବାଦୀ.. ଭିତରେ ସପକ୍ଷବାଦୀ । ଗ୍ରାମବାସୀ ତୁଳନାରେ ପୁଲିସ ଅଧିକ । ଗାଁ ଲୋକଙ୍କ ପରିଚୟ ପତ୍ରକୁ ଯାଁଚ କରି ସଭା ସ୍ଥଳକୁ ଛଡା ଯାଇଥିବା ବେଳେ ଆଦିବାସୀ ନେତା ଓ ଶହ ଶହ ବିପକ୍ଷବାଦୀଙ୍କୁ କିନ୍ତୁ ମଞ୍ଚ ନିକଟକୁ ଛଡା ଯାଇନଥିଲା । ଯାହାକୁ ନେଇ ସ୍ଥାନୀୟ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଡାଲମିଆ କମ୍ପାନୀ ପକ୍ଷରୁ ମାଲକାନଗିରି କୋତାମାଟେରୁ ମୌଜାରେ ଥିବା ଚୂନ ପଥର ଖଣି ଉପରେ ଘଣ୍ଟା ପ୍ରତି ୧୦୦୦ ଟନ୍ ବିଶିଷ୍ଟ କ୍ରଶର ସ୍ଥାପନ କରିବା ଲାଗି ପ୍ରସ୍ତାବ ରହିଛି । ଏଥିପାଇଁ ୪୬୨.୨୮ ହେକ୍ଟର ଜଙ୍ଗଲ ଜମି, ୩୩୮.୯୩ ହେକ୍ଟର ଅଣ ଜଙ୍ଗଲ ଜମି, ୧୯୦ ଦଶମିକ ୦୫୮ ହେକ୍ଟର ସରକାରୀ ଜମି ଓ ୧୪୮ ଦଶମିକ ୮୬୬ ହେକ୍ଟର ଆଦିବାସୀ ଜମି ପ୍ରଭାବିତ ହେବା ଲାଗି ଚିହ୍ନଟ ହୋଇଛି । ତେବେ ପ୍ରତିବଦଳରେ କମ୍ପାନୀ ଗାଁରେ ମୋବାଇଲ ଟାଓାର ଠାରୁ ଆରମ୍ଭ କରି, ନିଯୁକ୍ତି, ଡାକ୍ତରଖାନା ପରି ନାନା ପ୍ରତିଶୃତିରେ ଗ୍ରାମବାସୀଙ୍କୁ ପୋତି ପକାଇଛି ଡାଲମିଆ କମ୍ପାନୀ ।