ଜିନ୍ଦଲ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ । ଲୋକେ କହିଲେ, ଆଉ କମ୍ପାନୀ ହାତରେ ଟେକି ଦେବୁନି ଜୀବନ ଜୀବିକା ।

215

କନକ ବ୍ୟୁରୋ : ଜଗତସିଂହପୁରରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ବୈଠକ ପରେ ବୈଠକ ବସୁଛି । ନୂଆଗାଁରେ ଚାଲିଥିବା ତ୍ରିସ୍ତରୀୟ ଆଲୋଚନାରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି ନୂଆଗାଁ ଗ୍ରାମବାସୀ । ପିଢି ପରେ ପିଢି ନିଜର ଜୀବିକା ନିର୍ବାହ କରୁଥିବା ଜଙ୍ଗଲ ଜମିକୁ କମ୍ପାନୀ ହାତରେ ଟେକି ଦେଇ କମ୍ପାନୀ ଉପରେ ନିର୍ଭର କରିବାକୁ ଗ୍ରାମବାସୀ ନାପସନ୍ଦ କରିଛନ୍ତି ।

ଏରସମା ବ୍ଲକ ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ନିର୍ମାଣକୁ ନେଇ ଜଳୁଛି ଅସନ୍ତୋଷର ନିଆଁ । ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ନୂଆଗାଁ ସିଦ୍ଧମଠ ପରିସରରେ ପ୍ରଶାସନ ତରଫରୁ ଆୟୋଜିତ ତ୍ରିସ୍ତରୀୟ ଆଲୋଚନା ଶିବିରରେ କମ୍ପାନୀ ନିର୍ମାଣକୁ ନେଇ ତୀବ୍ର ବିରୋଧ ହୋଇଛି । ପାନ, ଧାନ, ମୀନକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ଲୋକେ କମ୍ପାନୀ ପାଇଁ ଜଙ୍ଗଲ ଜମି ହରାଇବାକୁ ଚାହୁଁନାହାନ୍ତି ।

ପସ୍କୋ ପାଇଁ ୧୦ ବର୍ଷ ତଳୁ ଜମି ଓ ପାନବରଜ ଭାଙ୍ଗି ଯିବା ପରେ ଅନେକ ବ୍ୟକ୍ତି ଘରଦ୍ୱାର ଛାଡି ଦାଦନ ସାଜିଛନ୍ତି । ବହୁ ପରିବାର ଆଜି ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ତେଣୁ ଆଉ ଜମି ହରାଇ ଜିନ୍ଦଲ କମ୍ପାନୀ ଉପରେ ନିର୍ଭର କରିବାକୁ ଚାହୁଁନାହାନ୍ତି ଗ୍ରାମବାସୀ ।

ସେପଟେ ଜିଲ୍ଲାପାଳ କହିଛନ୍ତି, କମ୍ପାନୀ ନିର୍ମାଣ ପାଇଁ ସ୍ଥାନୀୟ ପଞ୍ଚାୟତବାସୀଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଆଲୋଚନା ହୋଇଛି । ପ୍ରକଳ୍ପ ନିର୍ମାଣ ସପକ୍ଷରେ ସ୍ଥାନୀୟ ଲୋକଙ୍କ ମତ ନିଆଯାଇଛି । ଲୋକଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପୋସ୍କୋ ଚାଲିଯିବା ପରେ ଜିନ୍ଦଲ ପ୍ରକଳ୍ପ ନିର୍ମାଣକୁ ନେଇ ପ୍ରଶାସନ ତରଫରୁ ପଞ୍ଚାୟତବାସୀଙ୍କ ସହିତ ଆଲୋଚନା ଜାରି ରହିଛି । କିନ୍ତୁ ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ଜୀବିକାକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।