ବାଃ ବାଃରେ ବ୍ୟବସ୍ଥା । ଚୌକିରେ ପୁଲିସ୍ କର୍ମଚାରୀଙ୍କ ବାବୁ ଠାଣି, ଚଟାଣରେ ଗଡୁଛି ୭ ବର୍ଷର ଦିବ୍ୟାଙ୍ଗ ଶିଶୁ ।

940

କନକ ବ୍ୟୁରୋ : ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାର୍ଯ୍ୟାଳୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ, ସତରେ କଣ ଲୋକଙ୍କ ଭିତରେ ଆଉ ମଣିଷପଣିଆ ନାହିଁ । କାରଣ, ଶହ ଶହ ଲୋକଙ୍କ ଭିତରେ ଚଟାଣରେ ଗଡୁଥିଲା ୭ ବର୍ଷର ଦିବ୍ୟାଙ୍ଗ ଶିଶୁ । ଏବଂ ପାଖରେ ଚୌକିରେ ବସିଥିଲେ ପୋଲିସ କର୍ମଚାରୀ ।

ହୁଏତ, ଯେତେବେଳେ ମାନବିକତା ମରିଯାଏ, ତଥାକଥିତ ସଭ୍ୟସମାଜ ସାମ୍ନାକୁ ଆସେ ଏହି ଭଳି କିଛି ଚିତ୍ର । ଚଟାଣରେ ଗଡୁଛି ୭ବର୍ଷର ଭିନ୍ନକ୍ଷମ ପୁଅ । ଆଉ ପାଖଚୌକିରେ ବାବୁଠାଣିରେ ବସିଛନ୍ତି ଦୁଇ ଜଣ ପୋଲିସ୍ କର୍ମଚାରୀ । ସତେ ଯେମିତି ଆଖିକୁ କିଛି ଦେଖାଯାଉନି । କେବଳ ପୋଲିସ୍ କର୍ମଚାରୀ କାହିଁକି ସାଧାରଣ ଜନତା ବି ସବୁ ଦେଖି କିଛି ନଦେଖିଲା ଭଳି ଅଭିନୟ କରୁଛନ୍ତି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାର୍ଯ୍ୟାଳୟରେ ।

କାହାଣୀଟି ହେଉଛି ଠିକ୍ ଏହି ପରି । ଖୋର୍ଦ୍ଧା ଜିଲ୍ଲା ମଣ୍ଡଳସିଂଘ ଗାଁର ଶାନ୍ତି ସାହୁ ୭ ବର୍ଷର ଦିବ୍ୟାଙ୍ଗ ପୁଅ ବଳରାମକୁ ଧରି ପହଞ୍ଚିଥିଲେ ବ୍ଲକ୍ ଅଫିସ୍ । ପୂର୍ବରୁ ପାଇଥିବା ସୂଚନା ଅନୁସାରେ ବ୍ଲକ୍ ଅଫିସରେ ଥିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଜିଲ୍ଲାପାଳଙ୍କୁ ଭେଟିବେ ଏବଂ ପୁଅ ପାଇଁ ଅନ୍ତତଃ ଭତ୍ତାଟିଏ ପାଇଁ ଜଣାଇବେ, ଏହି ଆଶା ନେଇ ଧାଇଁ ଆସିଥିଲେ ଶାନ୍ତି ସାହୁ । ଦିବ୍ୟାଙ୍ଗ ପୁଅକୁ କେତେ ବା’ କାଖେଇ ଥାନ୍ତେ । ଶେଷରେ ତଳେ ବସାଇଦେଲେ । ହେଲେ ଏହି ଦୃଶ୍ୟ ଯେମିତି କାହାରି ନଜରକୁ ଆସିନଥିଲା ।

ଏହା ପୂର୍ବରୁ ପୁଅ ନାଁରେ ଭତ୍ତାଟିଏ କରିବା ପାଇଁ ଭିନ୍ନକ୍ଷମ ଭୀମଭୋଇ ଶିବିରକୁ ବି ଯାଇଥିଲେ । ହେଲେ ସେଠି ନିରାଶ ହେବା ପରେ ବ୍ଲକ୍ ଅଫିସ୍ ଆସିଥିଲେ । ହେଲେ ଏଠାରେ ବି ଏମିତି ଦହଗଂଜ ହେବାକୁ ପଡ଼ିଥିଲା । ବଡ଼ କଥା ହେଉଛି- ଏ ସଂପର୍କରେ ଅତିରିକ୍ତ ବିଡିଓଙ୍କ ପାଖରେ ଖବର ବି ନଥିଲା ।
ପ୍ରଶ୍ନ ହେଉଛି-
-ଏତେ ବଡ଼ ଅଭିଯୋଗ ଶୁଣାଣି ହେଉଛି ହେଲେ ସର୍ବନିମ୍ନ ବ୍ୟବସ୍ଥା କରିପାରୁନି କି ପ୍ରଶାସନ?
-ଯଦି ଅଭିଯୋଗ କରିବା ପାଇଁ ଏତେ ସମସ୍ୟା ଦେଇ ଗତି କରିବାକୁ ପଡୁଛି ତେବେ ଲୋକ ନିଜ ଦୁଃଖ ନେଇ ପ୍ରଶାସନ ପାଖରେ ପହଞ୍ଚିବେ ତ?