ଉତ୍ତରପ୍ରଦେଶରୁ ଆସିଲା ଅଭାବନୀୟ ଚିତ୍ର : ଟିକା ଭୟରେ ଗଛରେ ଚଢିଲେ; ସେପଟେ ସ୍ୱାସ୍ଥ୍ୟକର୍ମୀଙ୍କୁ ପିଟିଲେ ନାଉରିଆ

104

କନକ ବ୍ୟୁରୋ : ଯାହା ହେଲେ ହେଉ ଆମେ ଟିକା ନେବୁନି । ଆମକୁ କରୋନା ଟିକା ଦିଅନି । ଭ୍ୟାକସିନ୍ ଭୟରେ କିଏ ଗଛରେ ଚଢିଗଲା ତ ଆଉ କିଏ ସ୍ୱାସ୍ଥ୍ୟକର୍ମୀଙ୍କୁ ପିଟିଲା । ଏଭଳି ଦୁଇଟି ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ହେଉଛି ଉତରପ୍ରଦେଶ ଲକ୍ଷ୍ନୌ ବଲାଇ ଅଂଚଳର । ଟିକା ଦେବା ପାଇଁ ଗାଁରେ ପହଂଚିଥିଲେ ସ୍ୱାସ୍ଥ୍ୟକର୍ମୀ । ହେଲେ ଟିକା ନେବାକୁ ରାଜି ନଥିଲେ ଲୋକେ ।

ନାଉରୀଆଙ୍କୁ ଟିକା ଦେବା ପାଇଁ ନଦୀ କୂଳରେ ଯାଇଥିଲେ ସ୍ୱାସ୍ଥ୍ୟକର୍ମୀ । ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଡଙ୍ଗା ଉପରକୁ ଚଢି ଯାଇଥିଲେ ନାଉରୀଆ ଜଣଙ୍କ । ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ତାଙ୍କୁ ଓହ୍ଲାଇ ଆସିବାକୁ କହିଥିଲେ । କିନ୍ତୁ ସେ ତାଙ୍କ ଜିଦରେ ଅଟଳ ଥିଲେ, ଟିକା ନେବେନି । ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ବାରମ୍ବାର ଓହ୍ଲାଇ ଆସିବାକୁ କହୁଥାନ୍ତି । ଶେଷରେ ରାଗି ଯାଇ ନାଉରୀଆ ଜଣଙ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ସେ ଏବେ ଟିକା ନେବେନି ବୋଲି କହି ଦୌଡ଼ି ପଳାଇଯାଇଥିଲେ ।

ସେହିପରି ଅନ୍ୟ କିଛି ଲୋକ ଟିକା ନେବା ଭୟରେ ଗଛରେ ଚଢିଯାଇଥିଲେ । ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଲୋକେ ବୁଝାସୁଝା କରିଥିଲେ । ଶେଷରେ ସ୍ୱାସ୍ଥ୍ୟକର୍ମୀଙ୍କ କଥା ମାନି ଗଛରୁ ଓହ୍ଲାଇ ଟିକା ନେଇଥିଲେ । ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଏକମାତ୍ର ଅସ୍ତ୍ର ବୋଲି କୁହାଯାଉଛି । ତେଣୁ ଲୋକଙ୍କୁ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତମାନ ସୁଦ୍ଧା ୯୩ ପ୍ରତିଶତ କରୋନାର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୭୦ ପ୍ରତିଶତରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି । ଏପରି ସମୟରେ ଉତରପ୍ରଦେଶର ଏହି ଦୁଇଟି ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।