ପିଲାଚୋର ଭାବି ତେଲେଙ୍ଗାନା ପୋଲିସକୁ ନିସ୍ତୁକ ପିଟିଲେ ଗାଁ ଲୋକେ । ଦିଗପହଁଣ୍ଡି ଡେଙ୍ଗାଡି ଗାଁରେ ସାଦା ପୋଷାକରେ ଅଭିଯୁକ୍ତର ଭାଇକୁ ଉଠାଇ ନେବାବେଳେ ଅଘଟଣ

ପିଲାଚୋର ଭାବି ପୁଲିସକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

277

କନକ ବ୍ୟୁରୋ : ପିଲାଚୋର ଭାବି ପୁଲିସକୁ ନିସ୍ତୁକ ପିଟିଲେ ଗ୍ରାମବାସୀ । ଏପରି ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡି ପାଖ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ । ତେଲେଙ୍ଗାନା ପୁଲିସ ସାଦା ପୋଷାକରେ ଆସି ଜଣେ ଅଭିଯୁକ୍ତର ଭାଇକୁ ଉଠାଇ ନେଉଥିବା ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୭ଜଣ ପୁଲିସ ଦୁଇଟି ଇନୋଭା କାରରେ ଡେଙ୍ଗାଡି ଗ୍ରାମକୁ ଆସିଥିଲେ । ଡକାୟତି ଅଭିଯୁକ୍ତ ମନୋଜ ସ୍ୱାଇଁଙ୍କୁ ସାଙ୍ଗରେ ଆଣି ତେଲେଙ୍ଗାନା ପୁଲିସ ଘର ତଲାସୀ କରିବା ସହ ତା ଭାଇକୁ ଉଠାଇ ନେଉଥିଲେ ।

ଏହି ସମୟରେ ଅଭିଯୁକ୍ତର ମାଁ ମୋ ପୁଅକୁ ଚୋର ନେଉଛି ରକ୍ଷା କରି ବୋଲି ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁ ଲୋକେ ପିଲାଚୋର ଭାବି ତେଲେଙ୍ଗାନା ପୁଲିସକୁ ଘେରିଯାଇ ନିର୍ଧୁମ ପିଟିଥିଲେ । ଆମେ ପୁଲିସ କହି ତେଲେଙ୍ଗାନା ପୁଲିସ ନିଜ ଆଇକାର୍ଡ ଦେଖାଇ ଥିଲେ ମଧ୍ୟ କେହି ବିଶ୍ୱାସ କରିନଥିଲେ । ଓଲଟା ଜଲା କାର୍ଡ କହି ଆହୁରି ବାଡେଇଥିଲେ । ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ତେଲେଙ୍ଗାନା ପୁଲିସକୁ ଉଦ୍ଧାର କରିଥିଲେ । ଏଥିସହ ଅଭିଯୁକ୍ତର ଭାଇ ଓ ବାପାକୁ ଘରୁ ଉଠାଇ ଆଣିଛନ୍ତି ।

 

ଅଭିଯୁକ୍ତ ମନୋଜ ସ୍ୱାଇଁ ହାଇଦ୍ରାବାଦରେ କାମ କରିବାକୁ ଯାଇ ସେଠାରେ ମାଉଜର ଦେଖାଇ ଜଣକୁ ଘରୁ ସୁନା ଓ ଟଙ୍କା ଲୁଟ କରିଥିବା ଅଭି୍ଯୋଗ ହୋଇଥିଲା । ତେଲେଙ୍ଗାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାକୁ ସାଙ୍ଗରେ ଆଣି ଡେଙ୍ଗାଡି ଗାଁରେ ଥିବା ତା ଘରକୁ ତଲାସୀ କରିିଥିଲେ । ତଲାସୀ ପରେ ଅଭିଯୁକ୍ତର ଭାଇକୁ ତେଲେଙ୍ଗାନା ପୁଲିସ ଉଠାଇ ନେବା ବେଳେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଥିଲେ ।