କନକ ବ୍ୟୁରୋ: ପାକିସ୍ତାନରେ ପୁଣି ହେବ ସେହବାଜ ସରିଫ ସରକାର । ଦ୍ୱିତୀୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ସେହବାଜ ସରିଫ । ଆଉ ଆସିଫ ଅଲି ଜର୍ଦ୍ଦାରୀ ରାଷ୍ଟ୍ରପତି ହେବେ । ନିର୍ବାଚନ ଫଳାଫଳ ଘୋଷଣାର ୧୨ ଦିନ ପରେ ପିପିପି-ପିଏମଏଲ-ଏନ ମଧ୍ୟରେ ଛିଣ୍ଡିଲା ଅଙ୍କ । ମେଣ୍ଟ ସରକାର ପାଇଁ ରାଜି ହେଲେ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ୍ ଲିଗ୍-ନବାଜ୍ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ପାଇଁ ଦୁଇ ଦଳ ମଧ୍ୟରେ ଚୁକ୍ତି ହୋଇଛି । ମେଣ୍ଟ ସରକାରରେ ପିଏମଏଲ-ଏନ ପାଇବ ପ୍ରଧାନମନ୍ତ୍ରୀ ପଦ ଓ ପିପିପିକୁ ରାଷ୍ଟ୍ରପତି ପଦ ମିଳିବା ନେଇ ବୁଝାମଣା ହୋଇଥିବା କୁହାଯାଉଛି । ନବାଜ ସରିଫଙ୍କ ଭାଇ ସେହବାଜ ସରିଫଙ୍କ ପାଇଁ ବାଟ ଛାଡ଼ିଲେ ପିପିପି ମୁଖ୍ୟ ବିଲାବଲ ଭୁଟୋ ।

Advertisment

କିଏ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏବେ ପାକିସ୍ତାନର ପରବର୍ତି ପ୍ରଧାନମନ୍ତ୍ରୀ ସେହବାଜ ସରିଫ ହେବା ସ୍ପଷ୍ଟ ହୋଇଯାଇଛି । ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟିର ସହ ଅଧ୍ୟକ୍ଷ ଆସିଫ ଅଲ୍ଲି ଜର୍ଦ୍ଦାରି ହେବେ ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି । ଆସିଫ ମଧ୍ୟ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିବେ । ବାପା ଆସିଫଙ୍କୁ ପୁଣି ଥରେ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିବା କହିଥିଲେ ପିପିପି ମୁଖ୍ୟ ବିଲାବଲ ଭୁଟ୍ଟୋ । ୨୦୦୮ରୁ ୨୦୧୩ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରପତି ଥିଲେ ଆସିଫ ଅଲ୍ଲି ଜର୍ଦ୍ଦାରି ।

ତେବେ ଚଳିତ ନିର୍ବାଚନରେ ପାକିସ୍ତାନରେ କୌଣସି ଦଳକୁ ବହୁମତ ମିଳି ନଥିଲା । ମ୍ୟାଜିକ ନମ୍ବର କୌଣସି ଦଳ ପାଖରେ ନଥିବାରୁ ସରକାର ଗଠନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଇମରାନ ଖାନଙ୍କ ତେହେରିକ-ଏ-ଇନସାଫ ସମର୍ଥିତ ପ୍ରାର୍ଥୀ ସବୁଠୁ ଅଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲେ । ଏବେ ମେଂଟ ସରକାର ଫର୍ମୂଲା ଉପରେ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ୍ ଲିଗ୍-ନବାଜ୍ ମୋହର ମାରିଛନ୍ତି ।