ଜେଲ ଭିତରେ ଥାଇ ଚମକାଇ ଦେଲେ ଇମ୍ରାନ୍ ଖାନ୍ । ୬୫ଆସନରେ ଆଗୁଆ ଅଛନ୍ତି ପିଟିଆଇ ସମର୍ଥିତ ପ୍ରାର୍ଥୀ ।ବହୁ ପଛରେ ଭୁଟ୍ଟୋ ଓ ସରିଫଙ୍କ ଦଳ ।

695

କନକ ବ୍ୟୁରୋ: କଥାରେ କୁହନ୍ତି ନେତା ସବୁବେଳେ ନେତା । ନେତା ଯେଉଁଠି ଛିଡା ହୋଇଯାଆନ୍ତି ତାଙ୍କ ପାଖରେ ସମର୍ଥକଙ୍କ ଭିଡ ଆପେ ଆପେ ଲାଗିଯାଏ । ପଡୋଶୀ ପାକିସ୍ତାନରୁ ହୁଏତ ଏମିତି ଜଣେ ନେତାଙ୍କୁ ନେଇ ଏବେ ଭାରି ଜୋରରେ ଚର୍ଚା ହେଉଛି । ନେତା ମୈଦାନରେ ନାହାନ୍ତି । କିନ୍ତୁ ତାଙ୍କ ସମର୍ଥକ ନିର୍ବାଚନ ଲଢୁଛନ୍ତି । ଜେଲରେ ଥାଇ ଜନତା ଓ ସମର୍ଥକଙ୍କୁ ଏମିତି ପ୍ରଭାବିତ କରିପାରିଛନ୍ତି ଯେ ଭୋଟ୍ ଗଣିତରେ ତାଙ୍କୁ ହୁଏତ ସଫଳତା ମିଳିବାକୁ ଯାଉଛି ।

ଆମେ କହୁଛି ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଥା । ଦଳ ନିଷିଦ୍ଧ ହୋଇସାରିଛି । ନେତା ଜେଲରେ ଅଛନ୍ତି । କିନ୍ତୁ ହାରି ନାହାନ୍ତି ଇମ୍ରାନ୍ । ପାକିସ୍ତାନ ତେହେରିକ୍ ଏ ଇନସାଫ ବା ପିଟିଆଇ ଦଳକୁ ନିର୍ବାଚନ କମିଶନ ନିଷିଦ୍ଧ କରି ଦେଇଛି ସତ କିନ୍ତୁ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ମୈଦାନରେ ଲଢୁଛନ୍ତି ଇମ୍ରାନଙ୍କୁ ସମର୍ଥନ କରୁଥିବା ପ୍ରାର୍ଥୀ । ନିର୍ବାଚନ ଫଳାଫଳ ଯେଉଁ ସଂଖ୍ୟା ଆସୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିଲାୱଲ ଭୁଟୋଙ୍କ ଦଳ ପିପିପି ଦୌଡରେ ସଭା ପଛରେ ପଡିଥିବା ବେଳେ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ଦଳ ମଧ୍ୟ ଇମ୍ରାନ ଖାନଙ୍କ ପ୍ରାର୍ଥୀଠାରୁ ପଛରେ ପଡିଛନ୍ତି । ହେଲେ ପ୍ରାରମ୍ଭିକ ଟ୍ରେଣ୍ଡର ସଂଖ୍ୟା ଗଣିତକୁ ଅଣଦେଖା କରି ନୱାଜ ସରିଫ ଦାବି କରିଛନ୍ତି, ତାଙ୍କ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯଦିଓ ପାକିସ୍ତାନର ଗଣତନ୍ତ୍ରକୁ କଣ୍ଢେଇ ଗଣତନ୍ତ୍ର ବୋଲି ସମାଲୋଚନା କରାଯାଏ ଏବଂ ସେନା ପରିଚାଳିତ ଯନ୍ତ୍ର ବୋଲି ଅଭିଯୋଗ ହୁଏ ତଥାପି ସେନାର ରଣନୀତିକୁ ଚକମା ଦେଇ ଆଗରେ ଚାଲିଛନ୍ତି ଇମ୍ରାନ୍ ଖାନ୍ ।

ଶେଷ ଖବର ସୁଦ୍ଧା ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନର ରିପୋର୍ଟ ଅନୁଯାୟୀ, ପିଟିଆଇ ସମର୍ଥିତ ପ୍ରାର୍ଥୀ ୬୧ଟି ଆସନରେ ଆଗୁଆ ଥିବା ବେଳେ ନୱାଜ ସରିଫଙ୍କ ଦଳ ୪୬ ଆସନରେ ଏବଂ ଭୁଟ୍ଟୋଙ୍କ ଦଳ ୩୮ଟି ଆସନରେ ଆଗରେ ରହିଛି । ପାକିସ୍ତାନରେ ୩୩୬ଟି ଆସନରୁ ୨୬୬ଟି ଆସନରେ ନିର୍ବାଚନ ହୋଇଛି । ୨୬୫ଟିରେ ମତଦାନ ହୋଇଛି । ସରକାର ଗଢିବାକୁ ହେଲେ ୧୩୩ ଆସନରେ ବିଜୟ ହେବାକୁ ପଡିବ । ଯଦି ସମସ୍ତ ଆସନ କଥା ବିଚାର କରାଯାଏ ତାହେଲେ ୧୬୯ ଆସନ ରଖିବା ଆବଶ୍ୟକ ।