କନକ ବ୍ୟୁରୋ : ରାୟଗଡାରେ ଜିଲ୍ଲାସ୍ତରୀୟ ମହିଳା ଅଧିକାରୀଙ୍କୁ ନେଇ କ୍ରୀଡା ଶିକ୍ଷକ ପ୍ରଶାନ୍ତ ନାୟକଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଛି । ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ଅଭିଯୋଗକାରୀ ବିଷ୍ଣୁପ୍ରିୟାଙ୍କ ଶାଶୁ । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଜେରା କରିଛି ପୋଲିସ । ଏବଂ ନିଜ ଘରକୁ ବିଷ୍ଣୁପ୍ରିୟା ଫେରିଛନ୍ତି ।

Advertisment

ଅନ୍ୟପଟେ ଥାନାକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଅସୁସ୍ଥତା ଦର୍ଶାଇ କ୍ରିଡା ଶିକ୍ଷକ ଜଣକ ଡାକ୍ତରଖାନା ଚାଲିଯାଇଥିବା ଜଣାପଡିଛି । ମହିଳା ଅଧିକାରୀଙ୍କ ପ୍ରେମରେ ପଡିବା ପରେ କ୍ରୀଡା ଶିକ୍ଷକ ପ୍ରଶାନ୍ତ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି । ଏପରିକି ମହିଳା ଜଣକ ବାରମ୍ବାର ତାଙ୍କ ଘରକୁ ଆସୁଥିବା କହିଛନ୍ତି ଅଭିଯୋଗକାରୀ । ତାଙ୍କ ଅଭିଯୋଗ ଅନୁସାରେ ମହିଳା ଅଧିକାରୀଙ୍କ ସହ ପ୍ରେମ ସମ୍ପର୍କକୁ ଶାଶୂ ମଧ୍ୟ ଖୋଲାଖୋଲି ସମର୍ଥନ କରିଥିଲେ । ବିଷ୍ଣୁପ୍ରିୟାଙ୍କୁ ଘରକୁ ପଶିବାକୁ ଦେଇନଥିଲେ ।

ତେଣୁ କ୍ରୀଡା ଶିକ୍ଷକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସପି ଘଟଣାର ଅନୁଧ୍ୟାନ କରିବା ପାଇଁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଡାକି ଜେରା କରିଛି । ଅପରପକ୍ଷରେ ଉଭୟ କ୍ରୀଡା ଶିକ୍ଷକ ଓ ତାଙ୍କ ମାଆ, ଅଭିଯୋଗକାରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ସେ ସବୁବେଳେ ଘର ଛାଡି ବାରମ୍ବାର ବାହାରକୁ କୁଆଡେ ଚାଲିଯାଉଥିବା କହିଛନ୍ତି ।