କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ବର୍ତ୍ତମାନର ସବୁଠୁ ଚର୍ଚ୍ଚିତ ଗୋଆ ହତ୍ୟା ମାମଲାକୁ ନେଇ ସେତିକି ସହେନ୍ଦ ବଢ଼ୁଛି । କେମିତି ହେଲା କୁନି ପୁଅର ହତ୍ୟା? ହତ୍ୟା ପଛରେ ମା’ ସୂୂଚନାଙ୍କ ହାତ ରହିଛି ନା ପରଦା ପଛରେ ଖଳନାୟକ ଆଉ କିଏ? କାହିଁକି ବାରମ୍ବାର ବୟାନ ବଦଳାଉଛନ୍ତି ଅଭିଯୁକ୍ତ? ହତ୍ୟା ମାମଲାକୁ ନେଇ ସୂଚନା ଯେଉଁ ବୟାନ ଦେଉଛନ୍ତି ସେଗୁଡିକ ପାରିପାଶ୍ୱିକ ପରିସ୍ଥିିତି ସହ କାହିଁକି ମେଳ ଖାଉନି । ଯଦି ସୂଚନା ସତ କହୁଛନ୍ତି ତେବେ କାହିଁକି ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ବୟାନ ଭିନ୍ନ ରହୁଛି? ଜେରା ଭିତରେ ପୁଲିସ ହାତରେ ଲାଗିଛି ନୂଆ ତଥ୍ୟ । ସୂଚନା ଅନୁସାରେ ସ୍ୱାମୀ ଭେଙ୍କେଟରମଣଙ୍କ ମାସିକ ଦରମା ୯ଲକ୍ଷ ଟଙ୍କା ରହିଥିବାବେଳେ ମାସିକ ଭରଣପୋଷଣ ପାଇଁ ସୂଚନା ଅଢ଼େଇ ଲକ୍ଷ ଟଙ୍କା ଦାବି କରିଥିଲେ । ୭ ତାରିଖ ରବିବାର ଦିନ ପୁଅକୁ ଦେଖା କରିବାକୁ ଭେଙ୍କେଟରମଣ ସୂଚନାଙ୍କୁ ହ୍ୱାଟସଅପ ମେସେଜ କରିଥିଲେ । ସୂଚନା ଦେଖା କରିବା ପାଇଁ ରାଜି ହେବା ସହ ନିଦ୍ଧିଷ୍ଟ ସ୍ଥାନକୁ ଆସିବାକୁ କହିଥିଲେ । ଦୁଇ ଘଂଟା ଅପେକ୍ଷା କରିବା ପରେ ସୂଚନା ନଆସିବାରୁ ଭେଙ୍କେଟରମଣ ଅଫିସ କାମ ପାଇଁ ଇଣ୍ଡୋନେସିଆ ଚାଲିଯାଇଥିଲେ ।
ସନ୍ଦେହଘେରରେ ‘ସୂଚନା’
-୨୦୧୦ରେ ସୂଚନା ଓ ଭେଙ୍କେଟରମଣଙ୍କ ବିବାହ ହୋଇଥିଲା
-୨୦୧୯ ଅଗଷ୍ଟରେ ସୂଚନା ପୁଅକୁ ଜନ୍ମ ଦେଇଥିଲେ
-ମନୋମାଳିନ୍ୟ ପରେ ୨୦୨୧ ମାର୍ଚ୍ଚରେ ସୂଚନା ଓ ଭେଙ୍କେଟରମଣ ଅଲଗା ରହିବା ଆରମ୍ଭ କରିଥିଲେ
-୨୦୨୩ ଡିସେମ୍ବରରେ ଘରୋଇ ହିଂସା ମାମଲାର ଶୁଣାଣୀ କରିଥିଲେ କୋର୍ଟ
-ବିବାହ ବିଚ୍ଛେଦ ପରେ କୋର୍ଟ ପ୍ରତ୍ୟକ ରବିବାର ଭେଙ୍କଟରମଣଙ୍କୁ ପୁଅ ସହ ଭେଟିବାକୁ ଅନୁମତି ଦେଇଥିଲେ
-ଜାନୁଆରୀ ୨୯ରେ ଭରଣପୋଷଣ ବାବଦରେ କୋର୍ଟଙ୍କ ଶୁଣାଣୀ ସ୍ଥିର ହୋଇଥିଲା
-ଜାନୁଆରୀ ୭ରେ ପୁଅକୁ ନେଇ ଗୋଆ ଚାଲି ଆସିଥିଲେ ସୂଚନା
-ଜାନୁଆରୀ ୯ରେ ହତ୍ୟା ମାମଲାରେ ଗିରଫ ହୋଇଥିଲେ
ସୂଚନାଙ୍କୁ ଜେରା କରୁଥିବା ପୁଲିସ ଏକଥା ମଧ୍ୟ କହିିଛି ଯେ ପୁଅର ମୃତ୍ୟୁ ପରେ ସୂଚନାଙ୍କ ନିକଟରେ ତିଳେମାତ୍ର ଦୁଃଖ କିମ୍ବା ଅନୁତାପ ଦେଖିବାକୁ ମିଳୁନି । ଏପରିକି ଟିକେ ହେଲେ ବି ସେ ବିଚଳିତ ରହୁନାହାଁନ୍ତି ଓ ଜେରାରେ ସହଯୋଗ ମଧ୍ୟ କରୁନାହାଁନ୍ତି । ପୁଅ ହତ୍ୟା କରିନଥିବା ବାରମ୍ବାର କହୁଛନ୍ତି ସୂଚନା । କିନ୍ତୁ ଅଭିଯୁକ୍ତଙ୍କ ଥିଓରୀକୁ ମାନିବାକୁ ନାରାଜ ପୁଲିସ । ତେଣୁ ଗୁଡାଇତୁଡାଇ ସୂଚନାଙ୍କୁ ଜେରା କରାଯାଉଛି ।
ପୁଲିସ କର୍ଣ୍ଣାଟକରେ ଥିବା ସୂଚନାଙ୍କ ଘରେ ପହଁଚି ତଦନ୍ତ କରୁଛି । ପଡୋଶୀଙ୍କ ମୁତାବକ ସୂଚନା ଅଧିକାଂଶ ସମୟରେ ଏକାକୀ ରହୁଥିଲେ । ବିଶେଷ ମେଳାପୀ ନଥିଲେ । ସ୍ୱାମୀଙ୍କ ସହ ରହିବା ସମୟରେ ଉଭୟଙ୍କ ମଧ୍ୟରେ ରୀତିମତ ଝଗଡା ହେଉଥିଲା । ଏପରିକି ଭେଙ୍କେଟରମଣଙ୍କ ଉପରେ ସେ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣି ପୁଲିସଷ୍ଟେସନ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏବେ ପ୍ରଶ୍ନ ଉଠୁଛି ପ୍ରକୃତରେ ଯଦି ସୂଚନା ମାର ମମତା ଭୁଲି ନିଜ କୁନି ପୁଅକୁ ହତ୍ୟା କରିଛନ୍ତି ତା ପଛର କାରଣ କ’ଣ ହୋଇପାରେ? ଯଦି ସେ ଅଭିଯୁକ୍ତ ନୁହଁନ୍ତି ତେବେ ଏହି ରହସ୍ୟମୟ ହତ୍ୟାମାମଲାର ମାଷ୍ଟରମାଇଣ୍ଡ ଆଉ କିଏ?