ସୈତାନ ବୁଲୁଛି ସିଲଭର ସିଟିରେ ! ୨୪ ଘଣ୍ଟାରେ ନେଲାଣି ୩ଟି ମୁଣ୍ଡ, ଟାର୍ଗେଟରେ ନିରାଶ୍ରୟ ଆଉ ଦିନ ମଜୁରିଆ

1,416

କନକ ବ୍ୟୁରୋ: କଟକରେ ବୁଲୁଛି ସାଇକୋ କିଲର । ଯାହାକୁ ପାଉଛି ତାକୁ ହାଣୁଛି । ଯିଏ ସାମ୍ନାକୁ ଆସୁଛି ସିଏ ସଫା ହେଉଛି । ୨୪ ଘଣ୍ଟାରେ ତିନି ତିନି ଜଣଙ୍କ ଜୀବନ ନେଇ, ବିଚ ରାସ୍ତାରେ ମୁଣ୍ଡ ଗଡାଇ ସୈତାନ ସାଜିଲା ସାଇକୋ କିଲର ।

ଦିନ ଦ୍ୱିପ୍ରହରେ କଟକରୁ ଏଭଳି ଛାତିଥରା ହତ୍ୟାକାଣ୍ଡର ଖବର ଆସିବା ପରେ ସ୍ତବ୍ଧ ହୋଇଯାଇଛି ସିଲଭର ସିଟି । ତେବେ ଏଭଳି ହତ୍ୟାକାଣ୍ଡ କୌଣସି ଗ୍ୟାଙ୍ଗଷ୍ଟାର କିମ୍ବା ବଡ ଅପରାଧୀ ଘଟାଇନି ବରଂ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ଲୋକ ବିଭତ୍ସ ହତ୍ୟାର ପ୍ଲଟ ରଚିଛି ।

କଟକ ସହରରେ ୨୪ ଘଂଟା ଭିତରେ ଘଟିଛି ୩-୩ଟି ଜଘନ୍ୟ ହତ୍ୟାକାଣ୍ଡ । ତେବେ ସବୁଠାରୁ ବଡ଼ କଥା ହେଉଛି ତିନୋଟି ଯାକ ଘଟଣାରେ ଗୋଟିଏ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଛି ଏବଂ ସମସ୍ତଙ୍କର ଗୋଟିଏ ପ୍ରକାର ହତ୍ୟା ହୋଇଛି । ଅର୍ଥାତ ସମସ୍ତଙ୍କର ଗଳାକାଟି ହତ୍ୟା କରାଯାଇଛି । ଆଉ ଏହି ସବୁ ହତ୍ୟାକାଣ୍ଡରେ ସାଇକୋ କିଲର୍ର ସଂପୃକ୍ତି ଥିବା ସନ୍ଦେହ କରୁଛି ପୁଲିସ୍ । କଟକ ଓଏମପି ଛକରେ ୨ଟି ଏବଂ ରାଣୀହାଟ ଛକରେ ଗୋଟିଏ ମୁଣ୍ଡ ସହ ମୋଟ ୩ଟି ମୁଣ୍ଡ ଗଡିବା ପରେ ସାରା ସହରରେ ଆତଙ୍କ ଖେଳି ଯାଇଛି ଆଉ ସହରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଏକ ଭୟର ବାତାବରଣ ।

ତେବେ ବଡ କଥା ହେଉଛି ସାଇକୋ କିଲର୍ର ଟାର୍ଗେଟ୍ରେ ରହିଛନ୍ତି ନିରାଶ୍ରୟ ଏବଂ ମଜୁରିଆ । ରାସ୍ତାକଡ଼ରେ ରହୁଥିବା ଲୋକଙ୍କୁ ନିର୍ମମ ଭାବେ ଆକ୍ରମଣ କରୁଛି ଏହି ସାଇକୋ କିଲର୍ । ଯେଉଁମାନେ ସବୁ ନିରାଶ୍ରୟ ଆଉ ରାସ୍ତା କଡରେ ମୁଣ୍ଡ ଗୁଞ୍ଜୁଛନ୍ତି ସେମାନଙ୍କୁ ହତ୍ୟା କରୁଛି ସାଇକୋ କିଲର ।
ତେବେ କଟକ ସହରରେ ଅନେକ ଲୋକ ରାସ୍ତା କଡରେ, ବସଷ୍ଟାଣ୍ଡରେ ଆଉ ନଇ ଆଢିରେ ରାତି କାଟୁଥିବା ନଜିର ରହିଛି । ଯଦି ସାଇକୋ କିଲର ଟାର୍ଗେଟରେ ଏମାନେ ଥାଆନ୍ତି ତେବେ ସବୁଦିନ କିଛି ନା କିଛି ହତ୍ୟାକାଣ୍ଡ ଦେଖିବ କଟକ । ନିରାଶ୍ରୟ ମଣିଷ ଏ ଛାତିଥରା ଘଟଣା ଶୁଣିବା ପରେ ତାଙ୍କ ଛାତିରେ ଛନକା ପଶିଛି । କେମିତି ସେମାନେ ରାତି କାଟିବେ ସେଇ ଚିନ୍ତାରେ ସେମାନଙ୍କୁ ଘାରିଥିବା ବେଳେ ସାଇକୋ କିଲରକୁ ଧରିବା ପୁଲିସ୍ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।