କନକ ବ୍ୟୁରୋ : କ୍ୟାବିନେଟ ମନ୍ତ୍ରୀଙ୍କ ପାଦୁକା ସେବା । ରାୟଗଡାରେ ବିଜେପିର କର୍ମୀ ସମ୍ମିଳନୀରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଆଗରେ ବୀର ଦର୍ପରେ ଖାଲି ପାଦରେ ମାଡି ଚାଲିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପଛରେ ଥିଲେ କର୍ମୀ । କିନ୍ତୁ ଏହି ଭିଡ ଭିତରେ ଜଣେ ବ୍ୟକ୍ତି ଜୋତା ଧରି ନେଉଥିବାର ଦେଖିବାକୁ ମିଳିଥିଲା । ଯେହେତୁ କେନ୍ଦ୍ରମନ୍ତ୍ରୀ ଖାଲି ପାଦରେ ଯାଉଥିଲେ ତେଣୁ ଏହା କେନ୍ଦ୍ରମନ୍ତ୍ରୀଙ୍କ ଜୋତା ହୋଇଥିବ ବୋଲି ଚର୍ଚ୍ଚା ହେଉଛି ।
ରାୟଗଡାରେ ଦେଖିବାକୁ ମିଳିଲା ଭିଭିଆଇପି କଲଚରର ଝଲକ । ସୋମବାର ରାୟଗଡା ଶିବମନ୍ଦିରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶିବ ମନ୍ଦିର ପରିସର ଭିତରେ ବୀର ଦର୍ପରେ ଚାଲିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ । ପଛରେ ଗୋଟିଏ ହାତରେ ଫାଇଲ ଓ ଅନ୍ୟ ହାତରେ ଜୋତା ଧରି ଚାଲିଛନ୍ତି ମନ୍ତ୍ରୀଙ୍କ ପିଏସଓ । ଏଭଳି ଅଭାବନୀୟ ଦୃଶ୍ୟ ଆଜି ମନ୍ଦିର ପରିସରରେ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ଜୋତାକୁ ପିଏସଓ ଧରିବା ଘଟଣାକୁ ସାଧାରଣ ଲୋକ ନାପସନ୍ଦ କରିଛନ୍ତି । ପିଏସଓଙ୍କ ଦ୍ୱାରା ଜୋତା ଉଠାଇବା କେତେଦୂର ଠିକ୍ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ପୂର୍ବରୁ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସମୟରେ ପିଏସଓଙ୍କୁ ଚାପୁଡା ମାରି ବିବାଦୀୟ ହୋଇପଡିଥିଲେ ଜୁଏଲ । ନିଜର ବ୍ୟକ୍ତିଗତ ସହାୟକଙ୍କୁ ସେ ଏତେ ଜୋରରେ ଚାପୁଡା ମାରିଥିଲେ ଯେ, ସେଠାରେ ତଳେ ଗଳି ପଡିଥିଲେ । ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ କିଛି ସାମ୍ବାଦିକ । ଏହି ଫଟୋ ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାରକୁ ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ଜୁଏଲ ଏହି ଘଟଣାକୁ ଭିତ୍ତିହୀନ କହିବା ସହ ଏକ ଭୁଲ ଖବରକୁ ପ୍ରଚାର କରାଯାଉଛି ବୋଲି କହିଥିଲେ । ପିଏସଓ ତାଙ୍କର ଜଣେ କନିଷ୍ଠ କର୍ମଚାରୀ । ଆଉ ସେ ଭୁଲ କରିବାରୁ ତାଙ୍କୁ ଠେଲି ଦେଇଥିଲେ ବୋଲି ସେ କହିଥିଲେ ।
ପିଏସଓ ଜୋତା ଉଠାଇବା ଓଡିଶା ରାଜନୀତିରେ କିଛି ନୂଆ କଥା ନୁହେଁ । କେବଳ ଜୁଏଲ ନୁହଁନ୍ତି ପୂର୍ବବର୍ଷ ବିଜେଡି ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ପିଏସଓ ଜୋତା ପିନ୍ଧାଇବା ଘଟଣା ମଧ୍ୟ ବେଶ ହଇଚଇ କରିଥିଲା ରାଜ୍ୟ ରାଜନୀତିକୁ । ସେତେବେଳେ ପିଏସଓ ଜୋତା ପିନ୍ଧାଇବା ଘଟଣାରେ ମନ୍ତ୍ରୀ ଯେଉଁଭଳି ବେପରୁଆ ବୟାନ ଦେଇଥିଲେ ତାହାକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ସେ ଜଣେ ଭିଆଇପି ଓ ପିଏସଓ ଜଣେ ସାଧାରଣ କର୍ମଚାରୀ ତେଣୁ ଜୋତା ପିନ୍ଧାଇବାରେ ଅସୁବିଧା କେଉର୍ଠି ରହିଲା ବୋଲି ଓଲଟା ପ୍ରଶ୍ନ କରିଥିଲେ ଯୋଗେନ୍ଦ୍ର । କିନ୍ତୁ ପରେ ଏହି ଘଟଣା ପାଇଁ ଭୁଲ ମାଗିଥିଲେ ମନ୍ତ୍ରୀ ଯୋଗେନ୍ଦ୍ର ।
ମୋଦି ସରକାର ଗୋଟିଏ ପଟେ ଭିଆଇପି କଲଚର ବନ୍ଦ କରିବାକୁ ଆହ୍ୱାନ କରୁଥିବା ବେଳେ କିନ୍ତୁ ମନ୍ତ୍ରୀଙ୍କ ଉପରେ ଏହାର କାଣିଚାଏ ପ୍ରଭାବ ପଡୁନାହିଁ । ବିଜେପି ନେତା ଭିଆଇପି କଲଚରରୁ ନିଜକୁ ଦୂରେଇ ରଖିପାରୁ ନାହାନ୍ତି । ଖାଲି ଜୁଏଲ ନୁହେଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଜୋତାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ମଧ୍ୟପ୍ରଦେଶରେ ବନ୍ୟାଞ୍ଚଳ ପରିଦର୍ଶନ ସମୟରେ କେବଳ ଜୋତା ଓଦା ନ ହେବ ବୋଲି ଶିବରାଜଙ୍କୁ ହାତରେ ଟେକି ଆଣିଥିଲେ ସାଙ୍ଗରେ ଥିବା ପୋଲିସ ଅଧିକାରୀ ।
ତେବେ ଏଠି ପ୍ରଶ୍ନ ଉଠୁଛି ଜନତାଙ୍କ ଦ୍ୱାରା ନିର୍ବାଚିତ ଜଣେ ଜନପ୍ରତିନିଧିଙ୍କ ସ୍ୱଭାବ କିଭଳି ହେବା ଦରକାର ? ଲୋକେ ତାଙ୍କଠାରୁ କଣ ଆଶା ରଖନ୍ତି । ଜଣେ ପିଏସଓଙ୍କୁ ମାଡ ମାରିବା ତଥା ତାଙ୍କ ଦ୍ୱାରା ଜୋତା ଉଠାଇବା ଭଳି କାର୍ଯ୍ୟ କଣ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭା ଦେଉଛି । ଗୋଟିଏ ପଟେ ମୋଦି ଭିଆଇପି କଲଚର ବନ୍ଦ କରିବାକୁ କହୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ କେତେଦୂର ଠିକ୍? କେନ୍ଦ୍ରର ମୋଦି ସରକାରଙ୍କ ଆଦିବାସୀ ବ୍ୟାପାର ଭଳି ଗୁରୂୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ଜୁଏଲ ଓରାମଙ୍କ ଏଭଳି କାଯ୍ୟକଳାପକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା । ତେବେ ଏନେଇ ଜୁଏଲଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/Screen-shot-2017-11-06-at-5.59.48-PM.png)