ବିହାର ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ବେକାରୀ ଗେମ୍ । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ନିଯୁକ୍ତି । ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗରେ ପୂରଣ ହେବ ସବୁ ପଦବୀ । 

221

କନକ ବ୍ୟୁରୋ : ନିତିଶ କୁମାର ବିହାର ନିର୍ବାଚନକୁ ଆଖି ଆଗରେ ରଖି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ମାଟ୍ରିକ୍ ପାସ କଲେ ୧୦ ହଜାର ଓ ଗ୍ରାଜୁଏସନ ପରେ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିବା ପରେ ପଛରେ ପଡି ନାହାନ୍ତି ତେଜସ୍ୱୀ । ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ସେ ଘୋଷଣା କରିଛନ୍ତି । କେବଳ ତାଙ୍କ ସରକାର ଆସିଲେ । ଅର୍ଥାତ ନିତିଶ ଯେତେବେଳେ ଛାତ୍ର ଛାତ୍ରୀଙ୍କ ଭୋଟକୁ ନଜର କରିଛନ୍ତି । ସେତେବେଳେ ତେଜସ୍ୱୀ ପାଠ ପଢା ସାରି ବେକାରା ଥିବା ଯୁବକ ଯୁବତୀଙ୍କ ଭୋଟକୁ ଟାର୍ଗେଟ କରିଛନ୍ତି ।

ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ସରିବା ପରେ ଏବେ ଯୋଜନା ବାଣ୍ଟୁଛନ୍ତି ଉଭୟ ସରକାର ଓ ବିରୋଧୀ । ନିତିଶଙ୍କ ଷ୍ଟଡି ସ୍କିମ୍ ପରେ ତେଜସ୍ୱୀଙ୍କ ନିଯୁକ୍ତି ସ୍କିମ ଏବେ ବିହାର ନିର୍ବାଚନକୁ ଉଷୁମ କରିଛି । ବିହାର ବିରୋଧୀ ଦଳର ନେତା ତେଜସ୍ୱୀ ରବିବାର ଦିନ ବିହାରର ଯୁବକ ଓ ନିଯୁକ୍ତି ପ୍ରସଙ୍ଗରେ ଏକ ବଡ ଘୋଷଣା କରିଛନ୍ତି । ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ତେଜସ୍ୱୀ କହିଛନ୍ତି କି ଯଦି ଲୋକମାନେ ତାଙ୍କ ସପକ୍ଷରେ ଭୋଟ ଦେଇ ତାଙ୍କୁ ସରକାର ଗଠନ କରିବାର ସୁଯୋଗ ଦିଅନ୍ତି ତେବେ ପ୍ରଥମ କ୍ୟାବିନେଟରେ ବେକାରୀ ସମସ୍ୟାକୁ ଦୃଷ୍ଟିରେ ରଖି ୧୦ ଲକ୍ଷ ବେକାରୀଙ୍କୁ ଚାକିରୀ ଦେବାର ପ୍ରସ୍ତାବ ପାରିତ ହେବ ।

ଅନ୍ୟପଟେ ବିହାରର ବିଭିନ୍ନ ବିଭାଗରେ ଖାଲିଥିବା ପଦବୀକୁ ଦର୍ଶାଇ ତେଜସ୍ୱୀ କହିଛନ୍ତି କି ‘ଆମେ କିଛିଦିନ ହେବ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ଆମ ସହ ଯୋଡିବାକୁ ଏକ ପ୍ରୟାସ ଆରମ୍ଭ କରିଥିଲୁ । ଯେଉଁଥିରେ କି ୯ ଲକ୍ଷ ୪୭ ହଜାର ୩୨୪ ଜଣ ବେରୋଜଗାରୀ ଯୋଡି ହୋଇଛନ୍ତି । ’ ଏହା ସହ ମିସ କଲ ମାଧ୍ୟମରେ ୧୩ ଲକ୍ଷ ୧୧ ହଜାର ୬୨୬ ଜଣ ଓ ପୋର୍ଟାଲ ମାଧ୍ୟମରେ ୨୨ ଲକ୍ଷ ୫୮ ହଜାରରୁ ଅଧିକ ଯୁବକ ଯୁବତୀ ପଞ୍ଜିକୃତ କରିଛନ୍ତି । ଯାହାକି ୨୩ ଦିନ ମଧ୍ୟରେ ହୋଇପାରିଛି ।

ବିହାରରେ ନିତିଶ କୁମାରଙ୍କ ଉପରେ ନିଶାନା ଲଗାଇ ତେଜସ୍ୱୀ କହିଛନ୍ତି କି ବିହାରରେ ଯୁବକ ଯୁବତୀଙ୍କୁ କାହିଁକି ଚାକିରୀ ମିଳୁନାହିଁ ମୁଖ୍ୟମନ୍ତ୍ରୀ ଯବାବ୍ ଦେବା ଉଚିତ । ଯେତେବେଳେ ସରକାରଙ୍କ ବିଭିନ୍ନ ବିଭାଗରରେ ଲକ୍ଷ ଲକ୍ଷ ପଦବୀ ଫାଙ୍କା ରହିଛି ସେତେବେଳେ ନିଯୁକ୍ତି ନପାଇ ରେଳ ଧାରଣାରେ ଜୀବନ ହରାଉଛନ୍ତି ବିହାରର ଶିକ୍ଷିତ ଯୁବବର୍ଗ । ଏନେଇ ସରକାରଙ୍କ ପାଖରେ କ’ଣ ବ୍ଲୁପ୍ରିଣ୍ଟ ଅଛି ସରକାର ତାହା ନିର୍ବାଚନ ଇସ୍ତାହାରରେ ସ୍ଥାନିତ କରନ୍ତୁ ।

ଅନ୍ୟପଟେ କିଭଳି ୧୦ ଲକ୍ଷ ବେକାରୀଙ୍କୁ ଚାକିରୀ ମିଳିବ ସେ ନେଇ ସାମ୍ବାଦିକ ମାନେ ପଚାରି ଥିବା ପ୍ରଶ୍ନର ଉତ୍ତର ଦେଇ ତେଜସ୍ୱୀ କହିଛନ୍ତି କି ୧ ହଜାର ରୋଗୀଙ୍କ ପାଇଁ ଜଣେ ଡାକ୍ତରଙ୍କ ନିହାତି ଆବଶ୍ୟକ ରହିଛି । ସେଭଳି ସ୍ଥଳେ ବିହାରରେ ଆହୁରି ୧ ଲକ୍ଷ ଡାକ୍ତରଙ୍କର ଆବଶ୍ୟକ ରହିଛି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗରେ ଯଦି ସମବାୟ କର୍ମଚାରୀଙ୍କୁ ଯୋଡି ଦିଆଯିବ ତେବେ ୨ ଲକ୍ଷ ୫୦ ହଜାର କର୍ମଚାରୀଙ୍କର ଆବଶ୍ୟକତା ରହିଛି । ସେପଟେ ବିହାରରେ ୫୦ ହଜାର ପୋଲିସ ପଦବୀ ଖାଲି ପଡିଛି । ବିହାରରେ ୧ ଲକ୍ଷ ଜନସଂଖ୍ୟାରେ ୭୭ ଜଣ ପୋଲିସ କର୍ମଚାରୀ ରହିଛନ୍ତି ଯାହାକି ମଣିପୁର ଠାରୁ କମ୍ । ଗୋଟେ ପଟେ ସରକାରୀ କର୍ମଚାରୀ ପୁରଣରେ ରାଜ୍ୟ ସରକାର ବିଫଳ ହେଉଛନ୍ତି । ଅନ୍ୟପଟେ କର୍ମଚାରୀ ଅଭାବରୁ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଆରଜେଡି କ୍ଷମତାକୁ ଫେରିଲେ ୧୦ ଲକ୍ଷ ଯୁବବର୍ଗଙ୍କୁ ଚାକିରୀ ମିଳିବ । ଏହା ଦ୍ୱାରା କିଛି ପରିମାଣର ବେକାରୀ ସମସ୍ୟା ଦୂର ହେବା ସହ ସେବା ପାଇବାରୁ ବଞ୍ଚିତ ହେଉଥିବା ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦିଆଯାଇ ପାରିବ ।

ଉଭୟ ରାଜନୈତୀକ ଦଳ ମାନେ ନିର୍ବାଚନ ପୂର୍ବରୁ ଏଭଳି ମନଲୋଭା ପ୍ୟାକେଜ୍ ଘୋଷଣା କରିଥାନ୍ତି । ହେଲେ ଭୋଟ ପାଇ କ୍ଷମତା ଦଖଲ କରିବା ପରେ ଏହା ଯେ ଏକ ମିଛ ପ୍ରହେଳିକା ତାହା ବୁଝିବାକୁ ବାକି ନାହିଁ ଭୋଟର ମାନଙ୍କୁ ।