ମମିତା ମେହେର ହତ୍ୟା ମାମଲା : ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ପ୍ରେସମିଟ; ୨ ଦିନ ସବୁ ଏସପି ଅଫିସ ଘେରାଉ କରିବ ଦଳ

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରିବା ଯାଏଁ ଜାରି ରହିବ ଆନ୍ଦୋଳନ

144

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କ ବିରୋଧରେ ରାଜନୈତିକ ଆକ୍ରମଣ ଜାରି ରଖିଛି ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କହିଛି ଯେ, ଆଗାମୀ ୨୬ ଓ ୨୭ ତାରିଖରେ ସମସ୍ତ ଏସପି ଅଫିସ ଘେରାଉ କରାଯିବ । ପୁରା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ଥିବାରୁ ତାଙ୍କ ବହିଷ୍କାର ଦାବି କରିଛି ଦଳ । ଯେପର୍ଯ୍ୟନ୍ତ ତାଙ୍କୁ ବହିଷ୍କାର ଓ ଗିରଫ କରାଯାଇ ନାହିଁ ବିଜେପି ଯୁବମୋର୍ଚ୍ଚା ତାର ଆନ୍ଦୋଳନ ଜାରି ରଖିବ ବୋଲି କହିଛି ।

ଯୁବ ସମାଜକୁ ଅନ୍ଦୋଳିତ କରୁଛି ଏହି ଘଟଣା । ମାଧାବୀଲତା, ଇତିଶ୍ରୀ, ପରୀ, ସୌମ୍ୟ ରଞ୍ଜନ, ସ୍ମିତାରାଣୀ ଭଳି ଘଟଣା ପୂର୍ବରୁ ଦେଖାଯାଇଛି । ବାରମ୍ବାର ସରକାରଙ୍କୁ ଚେତେଇ ଦେବା ସତ୍ୱେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନାହାନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରକୁ ଅଣାଯାଉନାହିଁ । ପୋଲିସ ବିଭାଗର ମନ୍ତ୍ରୀ ଯଦି ହତ୍ୟାକାରୀ ସାଜିଛନ୍ତି, ଅଭିଯୁକ୍ତକୁ ଫେରାର ହେବାରେ ସାହାଯ୍ୟ କରିଛନ୍ତି ମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗର ମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା କାହିଁକି ମୁହଁ ଖୋଲୁ ନାହାନ୍ତି । କାହିଁକି କେଵଳ କିଛି ଅଧିକାରୀଙ୍କୁ ନିଲମ୍ବିତ କରାଗଲା ।

କେଉଁ ମନ୍ତ୍ରୀଙ୍କ ଚାପରେ ପୋଲିସ ଏତଲା ରୁଜୁ କଲା ନାହିଁ । ପୋଲିସ ବାରାକରେ ପୋଲିସ ରୁହନ୍ତି, ସେଠାରେ ଅଭିଯୁକ୍ତକୁ କାହିଁକି ଚାରି ଦିନ ରଖାଗଲା ଆଉ ସେ ଫେରାର ହେଇଗଲା ? ଏକଥା ପୋଲିସ ସ୍ପଷ୍ଟ କରୁନାହିଁ । ମମିତାଙ୍କ ପରିବାର ଲୋକଙ୍କ ଦାବି ସତ୍ୱେ ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା ।