କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା । ରାଜସ୍ଥାନରେ ପ୍ରତିବାଦ କରି ବନ୍ଦ ପାଳନ । କଂଗ୍ରେସ ନେତ୍ରୀ କହିଲେ ଫେରିଲା ଜଙ୍ଗଲରାଜ ।

197

କନକ ବ୍ୟୁରୋ: ମଙ୍ଗଳବାର ଏକ ଘର ଭିତରେ କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା ଏବେ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି । ଯାହାର ପ୍ରତିବାଦ କରି ବନ୍ଦ ପାଳିଛନ୍ତି ରାଜପୁତ । ରାଜସ୍ଥାନର ଜୟପୁର, ଜୋଧପୁର, ଅଲବର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ବାଚନ ଫଳାଫଳ ପରେ ଘଟିଥିବା ଏହି ହତ୍ୟାକାଣ୍ଡ ପାଇଁ ଅଶୋକ ଗେହଲଟ ସରକାର ଦାୟୀ ବୋଲି ପ୍ରତିବାଦୀକାରୀ କହିଛନ୍ତି । ମୃତ ସୁଖଦେବ ସିଂହ ବିଦାୟୀ ସରକାର ବା କଂଗ୍ରେସର ବିରୋଧୀ ଥିଲେ । ଗେହଲଟ ସରକାର ସମୟରେ ତାଙ୍କର ସୁରକ୍ଷା କମାଇ ଦିଆଯାଇଥିଲା । ଏପରିକି ସେ ହତ୍ୟାର ଶିକାର ହୋଇପାରନ୍ତି ବୋଲି ନିଜେ ଆଶଙ୍କା କରିଥିଲେ ।

ଏବେ ନିର୍ବାଚନରେ ପରାଜୟ ପରେ ପ୍ରତିଶୋଧ ନେବାକୁ ଯାଇ ଏହି ହତ୍ୟାକାଣ୍ଡ ଘଟାଯାଇଥିବା କର୍ଣ୍ଣୀ ସେନା ଦାବି କରିଛି । ତେବେ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି ।

  • ସୁଖଦେବଙ୍କୁ ହତ୍ୟା, ତେଜିଲା ରାଜନୀତି
  • କଂଗ୍ରେସ କହିଲା ଫେରିଲା ଜଙ୍ଗଲ ରାଜ
  • ଭିଡିଓ ପୋଷ୍ଟ କରି ବିଜେପି ଦେଲା ଜବାବ

ରାଜସ୍ଥାନରେ ବିଧାନସଭା ନିର୍ବାଚନ ଫଳାଫଳର ଦୁଇ ଦିନ ପରେ ସୁଖଦେବ ସିଂ ଗୋଗାମେଡି ହତ୍ୟାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଛି । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍ର ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟକୁ ଫେରିଲା ଜଙ୍ଗଲ ରାଜ । ସେପଟେ ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ବିଜେପି ଦାବି କରିଛି ଯେ ପରାଜୟ ପରେ କଂଗ୍ରେସ ସରକାର ପ୍ରତିଶୋଧ ନେବାକୁ ଯୋଜନା କରି ସୁଖଦେବଙ୍କ ସୁରକ୍ଷା କମାଇଥିଲା । ବିଜେପି ରାଷ୍ଟ୍ରୀୟ଼ ମୁଖପାତ୍ର ଶେହଜାଦ ପୁନାୱାଲା ସୁଖଦେବ ସିଂଙ୍କ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସ ପାଖରେ ସୂଚନା ଥିଲା । ଏହା ସତ୍ୱେ ମୁଖ୍ୟ଼ମନ୍ତ୍ରୀ ତାଙ୍କ ସୁରକ୍ଷା ହ୍ରାସ କରିଥିଲେ ।

ଏହି ମାମଲାରେ ରୋହିତ ରାଠୋଡ ଓ ନୀତିନ ଫୌଜି ଗିରଫ ହୋଇଛନ୍ତି । ସେନାରେ ନିୟୋଜିତ ଥିବା ନୀତିନ ଏଭଳି କାଣ୍ଡ କାହିଁକି ଭିଆଇଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି , ଯିଏକି ହରିଆଣାବାସୀ । ଏବେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ହିଂସା ଉସକାଉଥିବା କଥାକୁ ବିଶ୍ୱାସ ନ କରିବାକୁ ପୁଲିସ ଜନସାଧାରଣଙ୍କୁ ଅପିଲ କରିଛି ।