ସାହସ ଯୋଗାଉଛି ଗୁରୁପ୍ରିୟା ସେତୁ । ସ୍ୱାଭିମାନ ଅଞ୍ଚଳରେ ଶୁଭୁଛି ପରିବର୍ତ୍ତନର ସ୍ୱର । ଲାଲଗଡ଼ରେ ବଢୁଛି ମାଓ ବିରୋଧୀ ହାୱା ।

115

କନକ ବ୍ୟୁରୋ : ସାହସ ଯୋଗାଉଛି ଗୁରୁପ୍ରିୟା । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏବେ ସ୍ୱାଭିମାନ ଅଂଚଳର ଦୁର୍ଗମ ଇଲାକାକୁ ପହଞ୍ଚିଛି ବିକାଶ । ଆଉ ନିଜ ଅଂଚଳରେ ବିକାଶ ଦେଖି ଲାଲବାହିନୀ ଛାନିଆ । କାରଣ ବିକାଶ ଆସିଲେ ଭୁଷୁଡିବ ଲାଲଗଡ । ତେଣୁ ନିଜ ଗଡକୁ ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି ଲାଲବାହିନୀ । ମାଓ ବିରୋଧରେ ଏକାଠି ହୋଇଥିବା ଜୋଡାମ୍ବ ପଂଚାୟତବାସୀଙ୍କୁ କାଉଣ୍ଟର କରିବା ଲାଗି ଆଉ ଏକ ମାଓ ସପକ୍ଷବାଦୀ ଗୋଷ୍ଠୀକୁ ଏକାଠି କରି ପ୍ରଜାମେଳି କରିଛି ମାଓ ସଙ୍ଗଠନ । ଆଉ ଗୋଟିଏ ଦିନରେ ଦୁଇ ଗୋଷ୍ଠୀଙ୍କ ପ୍ରଜାମେଳି ଯୋଗୁ ସ୍ୱାଭିମାନ ଅଂଚଳରେ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି ।

ସ୍ୱାଭିମାନ ଅଞ୍ଚଳରେ ଶୁଭୁଛି ପରିବର୍ତ୍ତନର ସ୍ୱର । ଲାଲଗଡ଼ରେ ବଢୁଛି ମାଓ ବିରୋଧୀ ହାୱା । ସାହସ ଯୋଗାଉଛି ଗୁରୁପ୍ରିୟା ସେତୁ । ଏହି ସେତୁ ଦେଇ ଏବେ ମାଓଗଡକୁ ପହଁଚିଛି ବିକାଶର ଗାଡି । ସାତ ଦଶକ ପରେ ଏବେ ଘର ମୁହଁରେ ବିକାଶ ଦେଖି ମାଓ ସଙ୍ଗଠନରୁ ମୁହଁ ଫେରେଇ ନେଇଛନ୍ତି ସ୍ୱାଭିମାନ ଅଂଚଳବାସୀ । ଗତ ୨୫ ତାରିଖରେ ମାଓବାଦୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ବଦଳିଯାଇଛି ଅଶାନ୍ତ ସ୍ୱାଭିମାନ ଅଂଚଳର ଚିତ୍ର । ଏହା ପରେ ମାଓ ବିପକ୍ଷବାଦୀ ଓ ସପକ୍ଷବାଦୀ ଏବେ ମୁହାଁମୁହିଁ ହୋଇଛନ୍ତି ।

ଜୋଡାମ୍ବ ଠାରେ ମାଓ ବିରୋଧରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ଲୋକ । ସରକାର ଓ ପୁଲିସକୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାରଙ୍କ ସବୁ ଯୋଜନାକୁ ସ୍ୱାଗତ କରିଛନ୍ତି ମାଓବିପକ୍ଷବାଦୀ । ପୁଲିସର ଉପସ୍ଥିତି ଓ ପ୍ରଶସାନର ବିଭିନ୍ନ ସରକାରୀ ଯୋଜନା ଯୋଗୁ ସେମାନେ ଏବେ ନିଜକୁ ସୁରକ୍ଷିତ ମନେ କରୁଥିବା କହିଛନ୍ତି ।

୨୦୧୮ ଜୁଲାଇ ମାସରେ ଏହି ବିଚ୍ଛାନ୍ନାଞ୍ଚଳବାସୀଙ୍କ ଲାଇଫ ଲାଇନ ଗୁରୁପ୍ରିୟା ସେତୁକୁ ୧୫୧ ଟି ଅପହଁଚ ଗାଁ ଲୋକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସ୍ୱାଭିମାନ ଅଂଚଳର ସାମଗ୍ରିକ ବିକାଶ ସହ ମାଓ କବଳରୁ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇବା ପୁଲିସ ଓ ପ୍ରଶାସନର ପ୍ରାଥମିକତା ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ଏସପି ।