ଅଶାନ୍ତ କାଶ୍ମୀର ଘାଟି । ବାରମ୍ବାର ଆତଙ୍କବାଦୀ ଆକ୍ରମଣ ପରେ ଘାଟିରେ ଜୋର ଧରିଲା ପ୍ରତିବାଦା

218

କନକ ବ୍ୟୁରୋ: କାଶ୍ମୀର ଘାଟିରେ ବାରମ୍ବାର ଘଟୁଥିବା ଆତଙ୍କୀ ହମଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ସପ୍ତାହରେ ଆତଙ୍କବାଦୀ ଆକ୍ରମଣରେ ୭ଜଣ ନୀରିହ ଲୋକ ପ୍ରାଣ ହରାଇଥିବାବେଳେ ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶୁକ୍ରବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ୫ ଘଣ୍ଟାଧରି ଆଲୋଚନା କରିଛନ୍ତି । ଦୋଷୀକୁ ଯଥାଶୀଘ୍ର ଧରିବା ପାଇଁ ଗୁଇନ୍ଦା ବ୍ୟୁରୋର ଆତଙ୍କବାଦୀ ନିରୋଧି ପରିଚଳନା ମୁଖ୍ୟଙ୍କୁ କାଶ୍ମୀର ପଠାଯାଇଛି । ଏହାସହ ସୀମା ପାର ହୋଇ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ରୋକିବାକୁ କଡା ନିର୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।

ସେପଟେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ନୀରିହ ଲୋକଙ୍କୁ ହତ୍ୟା କରିବା ପରେ ଘାଟିର ସୁରକ୍ଷା ବ୍ୟବସ୍ଥ୍ୟା ନେଇ ପ୍ରଶ୍ନ ଉଠିଛି । ୭ଦିନରେ ୭ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ମୃତକଙ୍କ ମଧ୍ୟରେ କାଶ୍ମୀର ପଣ୍ଡିତଙ୍କ ସହ ସଂଖ୍ୟାଲଘୁ ଓ ଶିଖ୍ ସମ୍ପ୍ରଦାୟ ଲୋକ ରହିଛନ୍ତି । ଘଟଣାକୁ ବିରୋଧ କରାଯାଇ ଶତାଧିକ କାଶ୍ମୀରୀ ପଣ୍ଡିତଙ୍କ ତରଫରୁ ରାଲି କରାଯାଇଛି । ରାଜଧାନୀ ଦିଲ୍ଲୀରେ କାଶ୍ମୀର ହିନ୍ଦୁ ସଙ୍ଗଠନ ତରଫରୁ ଜୋରଦାର ବିକ୍ଷୋଭ କରାଯାଇଛି । ସରକାର କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା କହିଛନ୍ତି ଆନ୍ଦୋଳନକାରୀ ।

କାଶ୍ମୀରରେ ଏବେ ଅର୍ଥନୈତିକ କାଯ୍ୟକଳାପ ବଢିଛି । ଯେଉଁଥିପାଇଁ ଧିରେ ଧିରେ ଘାଟିକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଆଗାମୀଦିନରେ ଆତଙ୍କୀ କାଯ୍ୟକଳାପ ଯୋଗୁଁ କାଶ୍ମିର ଜନସାଧାରଣଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।