‘ନାଗରିକତା ଆଇନ’କୁ ନେଇ ଦେଶରେ ହିଂସାତ୍ମକ ଆନ୍ଦୋଳନ ଜାରି । ଉତ୍ତରପ୍ରଦେଶରେ ୧୬ ମୃତ,୫୦୦ରୁ ଅଧିକ ଆହତ । ସରକାରୀ ସଂପତି ନଷ୍ଟ ଅଭିଯୋଗରେ ୨୧୮ଗିରଫ

130

କନକ ବ୍ୟୁରୋ: ନାଗରିକତା ଆଇନକୁ ବିରୋଧ କରି ହେଉଥିବା ହିଂସାତ୍ମକ ପ୍ରତିବାଦରେ ୟୁପିରେ ମୃତ୍ୟୁସଂଖ୍ୟା ୧୬ରେ ପହଂଚିଛି । ଏପର୍ଯ୍ୟନ୍ତ ହିଂସାକାଣ୍ଡରେ ପ୍ରାୟ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଅଢେଇଶହ ପୋଲିସ କର୍ମୀ ଅଛନ୍ତି । ଉତର ପ୍ରଦେଶର ୨୫ରୁ ଅଧିକ ସହରରେ ଶନିବାର ମଧ୍ୟ ନାଗରିତକା ସଂଶୋଧନ ଆଇନକୁ ନେଇ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ହିଂସାକାଣ୍ଡ ଘଟାଇବା ଓ ସରକାର ସଂପତିକୁ ନଷ୍ଟ କରିବା ଅଭିଯୋଗରେ ୭୫୦ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ।

ଶନିବାର କାନପୁରରେ ପୋଲିସ ଉପରକୁ ପଥରମାଡ କରିବା ସହ ଏକ ଥାନାକୁ ଜାଳି ଦେଇଛନ୍ତି ପ୍ରତିବାଦକାରୀ । ପୋଲିସ ଗୁଳିରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ହିଂସା ପ୍ରଭାବିତ ଅଂଚଳରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ କେବଳ ଉତର ପ୍ରଦେଶରେ ସପ୍ତାହକ ଭିତରେ ୪ ହଜାର ୫୦୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ପରବର୍ତୀ ସମୟରେ ସେମାନଙ୍କୁ ଛାଡି ଦିଆଯାଇଛି । ୨୧୮ ଜଣ ହିଂସାକାରୀଙ୍କୁ ପ୍ରମାଣ ଆଧାରରେ ଗିରଫ କରାଯାଇଥିବାରୁ ସେମାନଙ୍କ ବିରୋଧରେ ମାମଲା ଚାଲିଛି । ରାଜ୍ୟପାଳଙ୍କୁ ଭେଟି ସ୍ଥିତି ବାବଦରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

 

ଅନ୍ୟପକ୍ଷରେ ଆନ୍ଦୋଳନ ନାଁରେ ସରକାରୀ ସଂପତିକୁ ନଷ୍ଟ କରୁଥିବା ଦୁର୍ବୃତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେମାନଙ୍କୁ ଚିହ୍ନଟ କରି ସଂପତି ବାଜ୍ୟାପ୍ତ ପାଇଁ ନୋଟିସ କରାଯାଇଛି । ପୂର୍ବରୁ ସଂପତି ବାଜ୍ୟାପ୍ତ କରି ସରକାରୀ ସଂପତିର କ୍ଷତି ଭରଣା କରିବାକୁ ଘୋଷଣା କରିଥିଲେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ।