ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡ ବେଳର ବିଚଳିତ କଲାଭଳି ଦୃଶ୍ୟ: ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଉପଦ୍ରବୀ; ନିଜକୁ ବଞ୍ଚାଇବାକୁ ଉଚ୍ଚ ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ସୁରକ୍ଷାକର୍ମୀ

271

କନକ ବ୍ୟୁରୋ: ଏସବୁ ଭିତରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ହିଂସାକାରୀମାନେ କେମିତି ପୁଲିସ୍ କର୍ମଚାରୀଙ୍କ ପ୍ରତି ଉଗ୍ର ହୋଇପଡ଼ୁଛନ୍ତି । ସେମାନଙ୍କୁ ଶାନ୍ତ କରିବାକୁ ପୁଲିସ୍ କର୍ମଚାରୀମାନେ ଚେଷ୍ଟା କରୁଥିଲେ ବି ଓଲଟା ଆକ୍ରମଣର ଶିକାର ହେଉଛନ୍ତି । ଆଉ ଏତେ ଜୋରରେ ଆକ୍ରମଣ କରାଯାଉଛି ଯେ, ନିଜକୁ ସୁରକ୍ଷିତ ରଖିବାକୁ ପୁଲିସକୁ ସେ ସ୍ଥାନ ଛାଡ଼ିବାକୁ ପଡ଼ୁଛି । ଏପରିକି ସେମାନେ ପାଚେରୀ ତଳକୁ ଡେଇଁପଡ଼ୁଛନ୍ତି । କାରଣ ଆଗରେ ଥିବା ଉପଦ୍ରବୀମାନେ ସେମାନଙ୍କୁ ଆକ୍ରମଣ କରିବା ଛାଡ଼ୁନାହାନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ପ୍ରାୟ ୨୦ ଫୁଟ ଗଭୀର ଥିବା ଏହି ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ନିଜକୁ ବଂଚାଇବାକୁ । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ହେଲେ ଏଥିରେ ଥିବା ଦୃଶ୍ୟ ଜଣଙ୍କୁ କିଛି ସମୟ ପାଇଁ ବିଚଳିତ କରିଦେବ ।

ଦିଲ୍ଲୀରେ ଦୁଇ ମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ସାରା ଦେଶରୁ ଯେମିତି ସମର୍ଥନ ମିଳି ଆସୁଥିଲା, ଏବେ କିନ୍ତୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି । ମଙ୍ଗଳବାର ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେକାବୁ ହୋଇଯାଇଥିଲା । ବ୍ୟାପକ ହିଂସାକାଣ୍ଡ ଘଟାଇ ଦିଲ୍ଲୀ ଆଡକୁ ମାଡି ଚାଲିଥିଲେ ଚାଷୀ । ପୋଲିସର ବ୍ୟାରିକେଡକୁ ଭାଙ୍ଗି ଧସେଇ ପଶିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ । ଲାଲକିଲ୍ଲା ଭିତରେ ପଶି ଏହାକୁ କିଛି ସମୟ ପାଇଁ ଅକ୍ତିଆର କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀ ଲାଲକିଲ୍ଲାରେ ଲାଗିଥିବା ଖମ୍ବ ଉପରେ ଚଢ଼ି ଶିଖ୍ ସମ୍ପ୍ରଦାୟର ପତାକା ଉଡାଇଥିଲେ । ଏହାଛଡା ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ ।