ଜନ୍ତରମନ୍ତର ଫେରିପାରିବେନି କୁସ୍ତିଯୋଦ୍ଧା? ଅଧାରେ ଅଟକି ଯିବ କି ନ୍ୟାୟ ଲଢେଇ ? ଗିରଫ ପରେ ଟେଣ୍ଟ ଭାଙ୍ଗିଲା ପୋଲିସ

513

କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନର ଉଦଘାଟନ ଉତ୍ସବ ଚାଲିଥିଲା । ଅନ୍ୟପଟେ ନ୍ୟାୟ ପାଇଁ ଗାଣତାନ୍ତ୍ରିକ ପଦ୍ଧତିରେ ଲଢେଇ କରୁଥିବା କୁସ୍ତିଯୋଦ୍ଧାଙ୍କୁ ରାସ୍ତାରେ ଗଡାଇ, ତଡାଇ, ଘୋଷାଡି ନେଉଯାଉଥିଲା ଦିଲ୍ଲୀ ପୋଲିସ । କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗିରଫ ଦାବିରେ ସଂସଦ ଭବନ ଆଡକୁ ଶୋଭା ଯାତ୍ରାରେ ବାହାରିଥିଲେ । ହେଲେ ଅଧ ବାଟରେ ଅଟକାଇଥିଲା ପୋଲିସ । ଯାହାକୁ ନେଇ ସେଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଉତେଜନା ବଢିଥିଲା । ବ୍ୟାରିକେଡ ଡେଇଁ କିଛି କୁସ୍ତି ଯୋଦ୍ଧା ଆଗକୁ ଯିବାକୁ ଉଦ୍ୟମ କରିବା ପରେ ବଳ ପୂର୍ବକ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ ।

  • ଗିରଫଦାରୀକୁ ନେଇ ତେଜିଲା ବିରୋଧ
  • ମୋଦୀ ସରକାରଙ୍କୁ ଘେରିଲେ ବିରୋଧୀ

କୁସ୍ତିଯୋଦ୍ଧାଙ୍କୁ ଗିରଫ ପରେ ପୋଲିସ ଜନ୍ତରମନ୍ତରରୁ ଟେଣ୍ଟ ହଟାଇ ଦେଇଛି । ତେଣୁ ପୁଣି ଥରେ କୁସ୍ତିଯୋଦ୍ଧା ଜନ୍ତରମନ୍ତରେ ପୁଣି ଥରେ ଧାରଣା ଦେଇପାରିବେ ନାହିଁ ବୋଲି କୁହାଯାଉଛି । କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ଘଟଣାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ । ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି ରାଜ୍ୟାଭିଷେକ ପୂରା ହେଲା, ଅହଂକାରୀ ରାସ୍ତାରେ ଦଳି ଦେଉଛି ଜନତାଙ୍କ ସ୍ୱର । ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ ଟୁଇଟ କରି ଲେଖିଛନ୍ତି ଗୋଟିଏ ପଟେ ଲୋକତନ୍ତ୍ରର ବଡ ମନ୍ଦିର ସଂସଦର ଉଦଘାଟନ । ଅନ୍ୟପଟେ ଗଣତନ୍ତ୍ରର ସମାପନ । ସେପଟେ କଂଗ୍ରେସ ପ୍ରେସମିଟ କରି କେନ୍ଦ୍ର ସରକାରଙ୍କୁ ଘେରିଛି ।

କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଦାବିରେ ରବିବାର ସଂସଦ ଆଗରେ ମହିଳା ମହାପଂଚାୟତ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଆଉ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେବା ପାଇଁ ଭାରତୀୟ କିଷାନ ୟୁନିଅନର ନେତା ଦିଲ୍ଲୀ ଆସୁଥିଲେ । ହେଲେ ସେମାନଙ୍କୁ ଗାଜିଆବାଦ ବର୍ଡର ଓ ଅମ୍ବାଲା ନିକଟରେ ଅଟକାଇଦେଇଥିଲା ପୋଲିସ ।