ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ ହଙ୍ଗାମା; ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

161

କନକ ବ୍ୟୁରୋ: ହରିୟଣାରେ କୃଷକଙ୍କ ଉପରେ ଲାଠିଚାର୍ଜ କରିଛି । ରାଜ୍ୟର କର୍ଣ୍ଣାଲରେ ପ୍ରଦର୍ଶନକାରୀଙ୍କ ଉପରେ ଏହି ବଳପ୍ରୟୋଗ କରିଛି ପୁଲିସ । ଜିଲ୍ଲାରେ କୌମାଲ ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେଇ କୃଷକଙ୍କୁ କୃଷି ଆଇନ ସପକ୍ଷରେ ଭାଷଣ ଦେବାର ଥିଲା । ଏହି ସମୟରେ ଆଇନକୁ ବିରୋଧ କରୁଥିବା କୃଷକ ସଭାସ୍ଥଳରେ ପଂହଚିଯାଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ କଳପତାକା ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ପୁଲିସ ଆନ୍ଦୋଳନକାରୀ କୃଷକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସେମାନେ ନ ବୁଝିବାରୁ ପୁଲିସକୁ ବଳପ୍ରୟୋଗ କରିବାକୁ ପଡିଥିଲା ।

କୃଷକଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଥିଲେ ସୁରକ୍ଷା କର୍ମୀ । ଏହାରେ ସେଠାରେ ପ୍ରବଳ ହଙ୍ଗମା ହୋଇଥିଲା ଓ ବର୍ତମାନ ସ୍ଥିତି ସେଠାରେ ଉତେଜନାପୂର୍ଣ୍ଣ ରହିଛି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ କୃଷକମାନେ ଦୀର୍ଘ ଦେଢମାସ ଧରି ଆନ୍ଦୋଳନ କରିଆସୁଛନ୍ତି । ଏଥିରେ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନରୁ ଚାଷୀ ଯୋଗଦେଇଛନ୍ତି । ସମସ୍ୟାର ସମାଧାନ ପାଇଁ ସରକାର ଓ ଚାଷୀଙ୍କ ମଧ୍ୟରେ ଆଠଥର ବୈଠକ ହୋଇଥିଲେ ବି କୌଣସି ନିର୍ଯାସ ବାହାରିପାରିନାହିଁ । ଫରବର୍ତୀ ବୈଠକ ଆସନ୍ତା ୧୫ ତାରିଖରେ ହେବାର ଅଛି ।