ବିହାର ରେଲୱେ ରିକ୍ୟୁଟମେଣ୍ଟରେ ଅନିୟମିତତାକୁ ନେଇ ଗଣ୍ଡଗୋଳ । ତିନି ଦିନ ଆନ୍ଦୋଳନ ପରେ ଟ୍ରେନ୍ ବଗିରେ ନିଆଁ ଲଗାଇଲେ ପରୀକ୍ଷାର୍ଥୀ

196

କନକ ବ୍ୟୁରୋ: ଟ୍ରେନରେ ନିଆଁ ଲଗାଇଲେ ଆନ୍ଦୋଳନରତ ଆଶାୟୀ ପ୍ରାର୍ଥୀ । ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ କରି ବିହାରର ପରିକ୍ଷାର୍ଥୀ ମାନେ ଗତ ଦୁଇ ଦିନ ଧରି ଧାରଣାରେ ବସିଥିଲେ । ଶେଷରେ ଆନ୍ଦୋଳନ ହିଂସାର ରୂପ ନେଇଛି ।

ପରୀକ୍ଷାର୍ଥୀ ମାନେ ଗୟାରେ ଯାତ୍ରୀବାହି ଟ୍ରେନର ଏକ ବଗିରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ବଗିଟି ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନିୟନ୍ତ୍ରଣ କରିବାକୁ ପୁଲିସ ପରିକ୍ଷାର୍ଥୀଙ୍କ ଉପରକୁ ଲୁହବୁହା ଗ୍ୟାସ ବ୍ୟବହାର କରିବା ସହ ଲାଠି ଚାର୍ଜ ମଧ୍ୟ କରଛି । ଯାହାର ପାଲଟା ଜବାବରେ ପରିକ୍ଷାର୍ଥୀ ମାନେ ପୁଲିସ ଉପରକୁ ପଥର ମାଡ କରିଥିବା ଅଭିଯୋଗ ହୋଇଛି । ସେପଟେ ବିକ୍ଷୋଭ ଯୋଗୁ ୫ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆରଆରବି ଏନଟିପିସିର କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା-୧ ବା ସିବିଟି-୧ ପରୀକ୍ଷା ଫଳ ଗତ ୧୫ ତାରିଖରେ ପ୍ରକାଶ ପାଇଥିଲା । ସେଥିରେ କମ୍ପ୍ୟୁଟର ପରୀକ୍ଷା-୨ ବା ସିବିଟି-୨ ପରୀକ୍ଷା ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଥିଲା । ରେଲୱେର ଏହି ନନ୍ ଟେକ୍ନିକାଲ ପୋଷ୍ଟ ପାଇଁ ହୋଇଥିବା ପରୀକ୍ଷା ଫଳରେ ତାଳମେଳ ରହୁନଥିବା ଅଭିଯୋଗ କରି ଛାତ୍ରମାନେ ବିହାରର ଶରିଫ୍ ରେଳ ଷ୍ଟେସନ, ଗୟା ଷ୍ଟେସନରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ ।

ତେବେ ଶତାଧିକ ଛାତ୍ର କୋଲକତା-ନୂଆଦିଲ୍ଲୀ ମୁଖ୍ୟ ରେଳ ଲାଇନକୁ ରାଜେନ୍ଦ୍ର ନଗର ଟର୍ମିନାଲରେ ଅବରୋଧ କରି ଧାରଣାରେ ବସିଥିଲେ । ଯାହା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ମାମଲାର ଯାଞ୍ଚ ପାଇଁ କମିଟି ଗଠନ କରିଛି ରେଳ ବିଭାଗ । ପରିକ୍ଷାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ରେଲୱେ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପରୀକ୍ଷାର୍ଥୀଙ୍କୁ ଆଇନ୍ ହାତକୁ ନନେବାକୁ କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଲୋଚନା କରି ସମସ୍ୟାର ସମାଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ । ସରକାରୀ ସମ୍ପତ୍ତିର ଭଙ୍ଗାରୁଜା କରିବା, ନଷ୍ଟ କରିବାରେ ଯେଉଁ ମାନେ ଦୋଷୀ ପ୍ରମାଣିତ ହୁଅନ୍ତି ସେମାନଙ୍କୁ ରେଲୱେର ସମସ୍ତ ପ୍ରକାର ନିଯୁକ୍ତିରୁ ବ୍ୟାନ କରାଯିବ ବୋଲି ପୂର୍ବ ରେଳ ବିଭାଗ କହିଛି ।