ଥମୁନି ଚାଷୀ ଆନ୍ଦୋଳନ । ଲୋହରୀ ଅବସରରେ କୃଷି ଆଇନର ଦସ୍ତାବିଜକୁ ପୋଡି ଦେଲେ ଆନ୍ଦୋଳନରତ ଚାଷୀ ।

60

କନକ ବ୍ୟୁରୋ : ୪୯ ଦିନରେ କୃଷକ ଆନ୍ଦୋଳନ ସାରା ଦେଶକୁ ଦୋହଲାଇଦେଇଛି । ଏହାରି ଭିତରେ ପଂଜାବର ବଡ ପର୍ବ ଲୋହରୀ ଅବସରରେ ବୁଧବାର ଦିନ କୃଷି ଆଇନର ଦସ୍ତାବିଜକୁ ଚିରିବା ସହ ନିଆଁରେ ପୋଡି ଦେଇଛନ୍ତି ଚାଷୀ । ଗୋଟିଏ ପଟେ ଦେଶର ୩ କୃଷି ଆଇନକୁ ଲାଗୁ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଚାଷୀଙ୍କ ଆଭିମୁଖ୍ୟ ଉପରେ ନଜର ରହିଥିବା ବେଳେ ଆନ୍ଦୋଳନ ବନ୍ଦ ହେବ ନାହିଁ । ଏବଂ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି କୃଷକ ସଂଗଠନ ।

ସର୍ବୋଚ୍ଚ ନ୍ୟାୟାଳୟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ୪ ଜଣ କୃଷି ବିଶେଷଜ୍ଞ ଆଇନର ତର୍ଜମା କରିବେ । ଏହା ପରେ ଆଇନକୁ ନେଇ ପରବର୍ତୀ ନିଷ୍ପତି ନିଆଯିବ । କୃଷକ ସଂଗଠନ କହିଛନ୍ତି କମିଟିର ସମସ୍ତ ସଦସ୍ୟ ସରକାରଙ୍କ ସମର୍ଥକ । ଏହି କମିଟିକୁ ମଧ୍ୟ ସ୍ୱିକାର କରିବା ପାଇଁ ମନା କରିଦେଇଛନ୍ତି କୃଷକ ସଂଘ ।

ସେପଟେ ଜାନୁୟାରୀ ୨୬ରେ କୃଷକ ସଂଗଠନ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି । ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହି ରାଲି କରାଯିବ ବୋଲି ଚାଷୀ ନେତା କହିଛନ୍ତି । ଏହାସହ ସର୍ବୋଚ୍ଚ ନ୍ୟାୟଳୟ କୃଷ ଆଇନକୁ ସ୍ଥଗିତ ରଖିଛନ୍ତି । ଏହା ପରେ ବି ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି ଚାଷୀ । ଏବଂ ଯେପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନହୁଏ ଆନ୍ଦୋଳନ ଜାରି ରହିବ ବୋଲି ଚେତବାନୀ ଦେଇଛନ୍ତି ।