ଇମ୍ରାନଙ୍କ ଆସନ ଟଳମଳ । ଗାଦି ଛାଡିବାକୁ ୨ ଦିନର ମହଲତ ଦେଲେ ବିରୋଧୀ, ପାକିସ୍ତାନରେ ସରକାର ବିରୋଧରେ ବିଶାଳ ଆଜାଦୀ ରାଲି, ଲକ୍ଷ ଲକ୍ଷ ଲୋକ ସାମିଲ ।

429

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଏବେ ଟଳମଳ । ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାକିସ୍ତାନରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା କରାଯାଇଛି । ପାକିସ୍ତାନୀ ମୌଲାନା ତଥା ଦକ୍ଷିଣପନ୍ଥୀ ଜେୟୁଆଇ-ଏଫ ମୁଖ୍ୟ ମୌଲାନା ଫଜଲୁର ରେହମାନ ଇମ୍ରାନଙ୍କ ବିରୋଧରେ ଆଜାଦୀ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କ ସହ ମୌଲାନା ଫଜଲୁର ରେହମାନ ଅକ୍ଟୋବର ୨୭ ତାରିଖରେ ଦକ୍ଷିଣ ସିନ୍ଧୁ ପ୍ରଦେଶରୁ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଦାବିରେ ଶୋଭାଯାତ୍ରା ଆରମ୍ଭ କରିଥିଲେ ।

୨୦୧୮ ସାଧାରଣ ନିର୍ବାଚନରେ ଇମ୍ରାନ ଜାଲିଆତି କରି କ୍ଷମତାକୁ ଆସିଥିବା ଅଭିଯୋଗ କରିବା ସହ ସେମାନେ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି । ଗତକାଲି ବିକ୍ଷୋଭକାରୀମାନେ ଇସଲାମାବାଦରେ ପହଂଚିବା ପରେ ସ୍ଥିତି ଅଣାୟତ ହୋଇ ପଡିଥିଲା । ସେନା ଓ ପୁଲିସର କଟକଣା ସତ୍ୱେ ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଅତି ଖରାପ ଅବସ୍ଥାରେ ଥିବା ବେଳେ ଲୋକଙ୍କୁ ଦୁର୍ଦ୍ଦଶା ବୁଝିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଆସନ୍ତା ଦୁଇ ଦିନ ମଧ୍ୟରେ ଗାଦି ଛାଡିବାକୁ ଇମ୍ରାନଙ୍କୁ ସେମାନେ ଚେତାବନୀ ଦେଇଛନ୍ତି ।