ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା । ପୋଲିସ ଡିସିପିଙ୍କ ଗୋଡ ଉପରେ ଗାଡି ଚଢାଇଦେଲେ ଯୁବକ,  ଅଳ୍ପକେ ବଞ୍ଚିଗଲେ ଧର୍ମେନ୍ଦ୍ର ମୀନା । 

1,370

କନକ ବ୍ୟୁରୋ : ଭାରତ ବନ୍ଦ ବେଳେ ପ୍ରଦର୍ଶନକାରୀଙ୍କ ଉତ୍ପାତ । ପୋଲିସ ଡିସିପିଙ୍କ ଗୋଡ ଉପରେ ଚଢାଇଦେଲେ ଏସୟୁଭି ଗାଡି । ଏଭଳି ଏକ ସାଂଘାତିକ ଘଟଣା ଏବେ ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । ଆଉ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତର ବାଙ୍ଗାଲୋରର ଡିସିପି ଧର୍ମେନ୍ଦ୍ର ମୀନାଙ୍କ ସହ ଏଭଳି ଏକ ଅଘଟଣ ହୋଇଛି ।

ସଂସଦରେ ଗୃହିତ ହୋଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତବର୍ଷଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ସଂଗଠନ । ତଥାପି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁନଥିବାରୁ ଚାପ ପକାଇବା ପାଇଁ ଆଜି ୧୦ ଘଂଟିଆ ଭାରତ ବନ୍ଦ ପାଳନ କରୁଛନ୍ତି । ଏହି ଆନ୍ଦୋଳନକୁ କଂଗ୍ରେସ ସମେତ, ଆମ ଆଦମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର କଂଗ୍ରେସ ଏବଂ ବାମ ଦଳ ସମେତ ୧୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଆଉ ଏହିକ୍ରମରେ ବାଙ୍ଗାଲୋରରେ ମଧ୍ୟ ଭାରତ ବନ୍ଦ ପାଳନ କରାଯାଉଛି । ତେବେ ସହରରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ବିଭାଗର ବଡ ଅଧିକାରୀମାନେ ପ୍ରଦର୍ଶନସ୍ଥଳୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ  । ଆଉ ଏଭଳି ଡ୍ୟୁଟି କରୁଥିବା ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉତ୍ତର ବାଙ୍ଗାଲୋରର ଡିସିପି ଧର୍ମେନ୍ଦ୍ର ମୀନା ।

ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ସମୟରେ ଜଣେ ପ୍ରଦର୍ଶନକାରୀ ଧର୍ମେନ୍ଦ୍ରଙ୍କ ଗୋଡ ଉପରେ ଗାଡି ଚଢାଇ ଦେଇଥିଲେ । ତେବେ ଏହି ଦୁର୍ଘଟଣାରେ ଧର୍ମେନ୍ଦ୍ର ଗୁରୁତର ଆହତ ହୋଇନାହାନ୍ତି ।  ଧର୍ମେନ୍ଦ୍ର ଏବେ ଠିକ୍ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗାଡି ଚଳାଉଥିବା ବ୍ୟକ୍ତି ହରିଶ ଗୌଡାଙ୍କୁ ପୋଲିସ ଧରିଛି । ହରିଶ ଏକ ସଙ୍ଗଠନର ସଦସ୍ୟ ହୋଇଥିବା ବେଳେ ଭାରତ ବନ୍ଦ ବେଳେ ଏହି ସଙ୍ଗଠନର ସଦସ୍ୟ ମଧ୍ୟ ଭାଗ ନେଇଥିଲେ ।

ଅନ୍ୟପଟେ ଭାରତ ବନ୍ଦ ବେଳେ ମାତିଛନ୍ତି ଆନ୍ଦୋଳନକାରୀ । ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଂଟିଆ ଭାରତ ବନ୍ଦର ପ୍ରଭାବ ସକାଳୁ ସକାଳୁ ସେତେଟା ଦେଖା ଯାଉନଥିଲା । ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଦେଖାନଥିଲା । ହେଲେ ଦିନ ବଢିବା ସହିତ ରାସ୍ତାରେ ପ୍ରତିବାଦକାରୀଙ୍କ ଭିଡ ବଢିବାରେ ଲାଗିଥିଲ।। ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଜଣେ ଆନ୍ଦୋଳନକାରୀ ଜୋରଜବରଦସ୍ତ ମୋ ବସକୁ ଅଟକାଇବା ସହ  ବନ୍ଦବେଳେ କାହିଁକି ମୋ ବସ ଚଳାଉଛ କହି ଡ୍ରାଇଭରଙ୍କୁ ବାଧା ଦେଇଥିଲେ ଆନ୍ଦୋଳନକାରୀ । ଏପରିକି ବସକୁ ଅଟକାଇବା ସହ ଡ୍ରାଇଭରଙ୍କ ଉପସ୍ଥିତିରେ ବସର ଚାବି ଛଡାଇ ଆଣିଥିଲେ । ବଡକଥା ହେଉଛି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ହେବ ବୋଲି ଘୋଷଣା କରିଥିଲେ କୃଷକ ସଂଗଠନ ଓ ସମର୍ଥନ ଜଣାଉଥିବା ରାଜନୈତିକ ଦଳ । ହେଲେ ପିକେଟିଂ ବେଳେ ଆନ୍ଦୋଳନକାରୀ ରାସ୍ତା ଉପରେ ମୋ ବସକୁ ଠିଆ କରି ଚାବି ଛଡାଇ ଆଣିବା ଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।