କନକ ବ୍ୟୁରୋ: ଜୟନାରାୟଣ ମିଶ୍ରଙ୍କୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଆଜି ରାଜ୍ୟରେ ଦେଖିବାକୁ ମିଳିଛି ଦୁଇଟି ଚିତ୍ର । ଗୋଟିଏ ଶାସକ ବିଜେଡିର ପ୍ରତିବାଦ ହୋଇଥିବାବେଳେ, ଅନ୍ୟଟି ବିରୋଧୀ ବିଜେପିର ବିକ୍ଷୋଭ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି ବିକ୍ଷୋଭ କରୁଥିବା ବେଳେ ଅନ୍ୟପଟେ ଚାଉଳ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଗର୍ଜୁଛି ବିଜେଡି ।

Advertisment

କେନ୍ଦ୍ର ବିରୋଧରେ ସ୍ୱରକୁ ଆହୁରି ତୀବ୍ର କରିଛି ବିଜୁ ଜନତା ଦଳ । ଧାନ କିଣା ନୀତିରେ ପାତରଅନ୍ତର ଏବଂ କେନ୍ଦ୍ର ଦେଉଥିବା ୫ କେଜି ମାଗଣା ଚାଉଳ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛି ବିଜେଡି । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ତୃଣମୂଳ ସ୍ତରରେ ପହଞ୍ଚିଛି । ପର୍ଯ୍ୟାୟ କ୍ରମେ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ବିଜେଡି । ଗରିବଙ୍କୁ ମିଳୁଥିବା ଚାଉଳ ବନ୍ଦ କରିଦେବା ଫଳରେ ଏହାର ପ୍ରଭାବ କୃଷକଙ୍କ ଏମଏସପି ଉପରେ ପଡ଼ିବ ବୋଲି ଅଭିଯୋଗ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ଖଣ୍ଡପଡ଼ା ବିଧାୟକ ଜୋରଦାର ବିରୋଧ କରିଥିବା ବେଳେ ଆଗାମୀ ନିର୍ବାଚନରେ ଜନତା ଉଚିତ ଜବାବ ଦେବେ ବୋଲି କହିଛନ୍ତି ।

ଏପଟେ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ ଆଣି ଭୁବନେଶ୍ୱରରେ ବଡ଼ଧରଣର ପ୍ରତିବାଦ କରିଛି ବିଜେପି । ରାଜଭବନ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟର ବହୁ ତୁଙ୍ଗ ନେତା ସାମିଲ ହେଇ, ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଯେଉଁଠି କ୍ୟାବିନେଟ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବାବେଳେ ରାଜ୍ୟରେ କେହି ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ତେବେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ଭିତରେ ରାଜନୈତିକ ପ୍ରତିଯୋଗିତା ତେଜିବାରେ ଲାଗିଛି । ଆଉ ଏହି ପ୍ରତିଯୋଗିତା ପଛରେ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ଚଚ୍ଚା ହେଉଛି ।