କନକ ବ୍ୟୁରୋ: ଯେଉଁ ବୟସରେ ଝିଅର ଭବିଷ୍ୟତ ପାଇଁ ସ୍ୱପ୍ନ ବୁଣିବା କଥା, ସେହି ବୟସରେ ତାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିଥିବା ବାପା, ମାଆ, ଶେଷରେ ଜୀବନ ହାରିଦେବାକୁ ବିଧାନସଭା ଆଗରେ ଦେହରେ ଡିଜେଲ ଢାଳି ଦେଇଛନ୍ତି । ୫ ବର୍ଷର ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହେବାରୁ ଗଣତନ୍ତ୍ରର ମନ୍ଦିର ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏମାନେ ହେଉଛନ୍ତି ନୟାଗଡରେ ମୃତ ନାବାଳିକା ପରିର ବାପା, ମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ ।
ଏମାନଙ୍କ ଅଭିଯୋଗ, ନାବାଳିକା ଝିଅକୁ ମାରି ତାର ଆଖି ଓ କିଡନୀ ତାଡି ନିଆଗଲା । ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି । ତେବେ ସବୁଠାରୁ ବଡକଥା ହେଉଛି ଝିଅର ହତ୍ୟା ପାଇଁ ସେମାନେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀଙ୍କ ପାଖ ଲୋକମାନେ ଝିଅକୁ ହତ୍ୟା କରିଥିବାବେଳେ ମନ୍ତ୍ରୀ କିଛି କରୁ ନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ।
ନିଜର କଅଁଳା ଶିଶୁକୁ ହରାଇଥିବା ଏହି ଦମ୍ପତିଙ୍କ ଅଭିଯୋଗରେ କଣ ସତ୍ୟତା ରହିଛି? ସେମାନେ ଅଭିଯୋଗ ଆଣୁଥିବା ବାବୁଲି ନାୟକଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୌଣସି ସଂପର୍କ ରହିଛି ନା ନାହିଁ, ତାହା ତ ପରେ ଜଣାପଡିବ । କିନ୍ତୁ ବିଧାନସଭା ଚାଲିଥିବାବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣି ଦମ୍ପତି ଆତ୍ମହୁତି ଉଦ୍ୟମ କରିବା ପ୍ରସଙ୍ଗ ତତ୍କ୍ଷଣାତ ବିଧାନସଭାରେ ଉଠିଥିଲା । ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ ବିରୋଧୀ । ଏହାପରେ ଆସନ୍ତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଉତର ରଖିବା ପାଇଁ ବାରସ୍ପତି ରୁଲିଂ ଦେଇଛନ୍ତି ।
ବାଚସ୍ପତିଙ୍କ ରୁଲିଂ, ମନ୍ତ୍ରୀ ରଖିବେ ଉତ୍ତର
- ବାପା, ମାଆ କିଭଳି ସୁରକ୍ଷା ଭେଦ କରି ବିଧାନସଭା ଆଗକୁ ଆସିଲେ?
- ସାଙ୍ଗରେ ଡିଜେଲ ଧରି ଆସି ଆତ୍ମହତ୍ୟା ଉଦ୍ୟମ କଲେ
- ନୟାଗଡରେ ୩ ମାସ ହେଲା ମାମଲା ହୋଇଛି
- ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ଏହି ପ୍ରସଙ୍ଗରେ ଆସିଛି
ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁର ୫ ବର୍ଷର ପରୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେହି ତାକୁ ଅପହରଣ କରିନେଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ହେଲେ ୧୦ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପୋଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟ ପକ୍ଷରେ ନ୍ୟାୟ ଦାବି କରି ପରୀର ପରିବାର ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ବାଢିଥିଲେ ।