ପାକିସ୍ତାନ..ଗୋ ବ୍ୟାକ୍ । ଆଫଗାନିସ୍ତାନ ମାଟିରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ଓ ନାରାବାଜି । 

339

କନକ ବ୍ୟୁରୋ : କାବୁଲରେ ପାକିସ୍ତାନ ବିରୋଧୀ ରାଲି । ପାକିସ୍ତାନ ଦୂତାବାସ ବାହାରେ ବିକ୍ଷୋଭ ସହ ନାରାବାଜି । ମହିଳାଙ୍କ ସମେତ ହଜାର ହଜାର ଲୋକ ଏକାଠି ହୋଇ ପାକିସ୍ତାନ ‘ଦେଶ ଛାଡ’ ବୋଲି ନାରା ଦେଇଥିଲେ । ପଞ୍ଜଶୀର ଦଖଲ ପାଇଁ ହୋଇଥିବା ଅପରେସନରେ ପାକିସ୍ତାନ ହେଲିକପ୍ଟର ବ୍ୟବହାର ହୋଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଉ ଏହାରି ଭିତରେ ଫାଙ୍କା ଗୁଳିମାଡ କରିଥିଲା ତାଲିବାନ ।

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବି ବିରୋଧର ସ୍ୱର ଉଠିଛି  । କାବୁଲରେ ପାକିସ୍ତାନ ଦୂତାବାସ ବାହାରେ ଏକାଠି ହୋଇଛନ୍ତି ମହିଳାଙ୍କ ସମେତ ହଜାର ହଜାର ଲୋକ । ହାତରେ ପ୍ଲାକାର୍ଡ ଧରି ଦେଇଛନ୍ତି ପାକିସ୍ତାନ ବିରୋଧୀ ନାରା । ପାକିସ୍ତାନ ଦେଶ ଛାଡି ପଳାଅ, ଆମକୁ ସ୍ୱାଧୀନତା ଦରକାର ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ  ।

ଆଫଗାନିସ୍ତାନ ମାମଲାରେ ଏବେ ଧୀରେ ଧୀରେ ପାକିସ୍ତାନର ଭୂମିକା ସ୍ପଷ୍ଟ ହେବାରେ ଲାଗିଛି । ତାଲିବାନୀଙ୍କ ପଛରେ ରହି ପାକିସ୍ତାନ, ଆଫଗାନିସ୍ତାନରେ ରାଜ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଯାଇଛି । ଆଉ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଆଫଗାନିସ୍ତାନ ଜନତା  ।

ଆଫଗାନିସ୍ତାନ ଲୋକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଭିଡ଼ ଭିତରେ ଫାଙ୍କା ଗୁଳି ମାଡ କରିଛି ତାଲିବାନ । ତାଲିବାନ ଆତଙ୍କବାଦୀଙ୍କ ଗୁଳିମାଡ ପରେ ଦୌଡି ପଳାଇଥିଲେ ଆନ୍ଦୋଳନକାରୀ  । ସୋମବାର ଆଫଗାନିସ୍ତାନର ଅଭେଦ୍ୟଗଡ଼ ପଞ୍ଜଶୀରକୁ ଦଖଲ କରିଥିଲା ତାଲିବାନ । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ପଞ୍ଜଶୀର ଦଖଲ ପାଇଁ ହୋଇଥିବା ଅପରେସନରେ ପାକିସ୍ତାନ ହେଲିକପ୍ଟର ବ୍ୟବହାର ହୋଇଥିଲା । ପାକିସ୍ତାନ ବାୟୁସେନାର ଡ୍ରୋନ୍ ଏବଂ ହେଲିକପ୍ଟର ଦ୍ୱାରା ତାଲିବାନକୁ ସହଯୋଗ କରିଛି । ପାକିସ୍ତାନ ସହଯୋଗରେ ତାଲିବାନ ପଞ୍ଜଶୀର ଉପତ୍ୟକାରେ ଆକ୍ରମଣ କରିଛି । ପାକିସ୍ତାନ ବାୟୁସେନାର ଡ୍ରୋନ୍ ସାହାଯ୍ୟରେ ପଞ୍ଜଶୀରରେ ବୋମା ବର୍ଷା ହୋଇଥିଲା ।

ସମୟ ଯେତେ ଗଡିଚାଲିଛି ସେତେସେତେ ପାକିସ୍ତାନର ହାତ ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜଶୀର ଦଖଲ ହେଉ କିମ୍ବା ସରକାର ଗଠନ ପ୍ରକ୍ରିୟା ହେଉ, ସବୁଠି ଏବେ ପାକିସ୍ତାନ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ଏଭଳି ଭୂମିକା ଭାରତ ସରକାରଙ୍କୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରିଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଆଫଗାନ ସ୍ଥିତି ଉପରେ ଆଲୋଚନା କରିଛନ୍ତି ।