ଚାଲିଛି ବିଧାନସଭା, ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ପ୍ରତିବାଦର ପେଣ୍ଠ । ନିଜ ନିଜ ଦାବି ନେଇ ଗର୍ଜିଲେ ସରପଞ୍ଚ, ମାଧ୍ୟମିକ ଶିକ୍ଷକ, ଆଶା କର୍ମୀ ଓ ଗାଁ ସାଥୀ ।

61

କନକ ବ୍ୟୁରୋ: ବିଧାନସଭା ଅଧିବେଶନ ଚାଲିଥିବା ବିଭିନ୍ନ ସଙ୍ଗଠନର ଦାବି ଓ ଆନ୍ଦୋଳନରେ କମ୍ପିଛି ଲୋୟର ପିଏମଜି । ଆଶାକର୍ମୀ , ସରପଞ୍ଚ, ଶିକ୍ଷକ ଓ ଗାଁ ସାଥୀଙ୍କ ଆନ୍ଦୋଳନରେ ନାକେଦମ ହୋଇଛି ପୁଲିସ । ଏପରିକିି ଗାଁ ସାଥୀଙ୍କ ନିଆରା ପ୍ରତିବାଦ ବି ଦେଖିବାକୁ ମିଳିଛି ।

  • ଧାରଣା ଓ ପ୍ରତିବାଦରେ କମ୍ପିଲା ଲୋୟର ପିଏମଜି
  • ଦାବି ପୂରଣ ପାଇଁ ନିଆରା ପ୍ରତିବାଦ

ବିଧାନସଭା ଚାଲିଛି । ଆଉ ନିଜ ଦାବି ପୂରଣ ପାଇଁ ଏକାଠି ହୋଇ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଭିନ୍ନ ସଙ୍ଗଠନ । ସମସ୍ତେ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିଛନ୍ତି, ଆନ୍ଦୋଳନ କରିଛନ୍ତି । ବିଧାନସଭା ସମ୍ମୁଖ ଆଡକୁ ଅଗ୍ରସର ହେବାବେଳେ ଆଶା କର୍ମୀଙ୍କ ସହ ପୁଲିସ ମୁହାଁମୁହିଁ ହୋଇଛନ୍ତି । ୨୦ ଦଫା ଦାବିରେ ସିଟୁ ନେତୃତ୍ୱରେ ଓଡିଶା ଆଶାକର୍ମୀ ଆସୋସିଏସନ ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯାଇଥିଲା । କୋଭିଡ ବେଳେ ନିଜ ଜୀବନକୁ ବାଜିରେ ଲଗାଇ କୋଭିଡ ଯୋଦ୍ଧା ଭୂମିକା ପାଳନ କରିଥିବା ଆଶା କର୍ମୀଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଦରମା, ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ଓ ମାସିକ ୧୦ ହଜାର ପେନସନ ପାଇଁ ଆଶା କର୍ମୀ ଦାବି କରିଛନ୍ତି ।

ସେହିଭଳି ଶିକ୍ଷକଙ୍କ ସମସ୍ୟା ନେଇ ଗାନ୍ଧିମାର୍ଗରେ ଏକାଠି ହୋଇଛନ୍ତି ଶିକ୍ଷକ, ପୁରାତନ ଛାତ୍ର, ଅଭିଭାବକ । କଂଗ୍ରେସ ଭବନରୁ ପିଏମଜି ଛକ ଯାଏଁ ଶୋଭାଯାତ୍ରା ବାହାରିଥିଲା । ଓଷ୍ଟା ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଦାବି ପୂରଣ ନ ହେଲା ଯାଏଁ ଅନିର୍ଦ୍ଦିଷ୍ଟକାଳ ଗଣଧାରଣା ଦେବାକୁ ଘୋଷଣା କରାଯାଇଛି

  • ମୁହଁରେ ନଡା ରଖି ଗାଁ ସାଥୀଙ୍କ ପ୍ରତିବାଦ
  • ପଞ୍ଚାୟତ ଜନପ୍ରତିନିଧିଙ୍କ ଦାବିକୁ ସ୍ୱର ଦେବ ବିଜେପି

ଭୁବନେଶ୍ୱର ଲୋୟର ପିଏମଜିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ମୁହଁରେ ନଡା ରଖି ଫୁଟପାଥରେ ଅଧିଆ ପଡିଛନ୍ତି ଗାଁ ସାଥୀ । ମାସିକ ୧୦ ହଜାର ପ୍ରୋତ୍ସାହନ ରାଶି ଦେବାକୁ ଦାବି କରିଛି ସଂଘ । ଆଉ ସମାଧାନ ନହେଲେ ୩୦ ତାରିଖରେ ବିଶାଳ ସମାବେଶ କରି ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇଛନ୍ତି ଗାଁ ସାଥୀ । ସେପଟେ ଦାବି ପୂରଣ ପାଇଁ ସରପଞ୍ଚ ଓ ସମିତିସଭ୍ୟ ବି ରାଜଧାନୀର ରାଜରାସ୍ତାରେ ଧାରଣା ଦେଇଛନ୍ତି । ଆଉ ଏମାନଙ୍କୁ ଭେଟି ବଳ ଦେଇଛନ୍ତି ବିଜେପି ପ୍ରତିନିଧିମଣ୍ଡଳୀ । ଏମାନଙ୍କ ଦାବିକୁ ବିଧାନସଭାରେ ଉଠାଯିବ ବୋଲି କହିଛି ବିଜେପି । ସରପଞ୍ଚ ଓ ସମିତିସଭ୍ୟଙ୍କ ପ୍ରମୁଖ ଦାବି ହେଲା

  • ପଞ୍ଚାୟତରେ ଜନକଲ୍ୟାଣ କାମ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦେବା
  • କେନ୍ଦ୍ର ଓ ରାଜ୍ୟ ଦେଉଥିବା ଟଙ୍କାରେ ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତ୍ୟକ୍ଷ ଭୂମିକାକୁ ବାଧ୍ୟତାମୂଳକ କରିବା
  • ସରପଞ୍ଚ ଓ ସମିତିସଭ୍ୟଙ୍କ ଭତ୍ତାରେ ବୃଦ୍ଧି

ବର୍ତମାନ ବିଧାନସଭା ଚାଲିଛି । ଆଉ ବିଭିନ୍ନ ସଙ୍ଗଠନର ପ୍ରତିବାଦ ଯୋଗୁଁ ପୋଲିସ ନାକେଦମ ହେବା ସହ ଲୋକଙ୍କୁ ବି ହଇରାଣ ହେବାକୁ ପଡିଛି ।