କନକ ବ୍ୟୁରୋ : ଧନୀ ସରକାର ବନାମ ଗରିବ ଚାଷୀ । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିକୁ ହତ୍ୟା କରିବାକୁ ସରକାରୀ କଳର ଷଡଯନ୍ତ୍ର । ନବନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହକୁ ଦଳିମକଚି ଦେବାକୁ ନବୀନ ସରକାର କରିଥିବା ଯୋଜନାକୁ ଆଜି ସଫଳ କରିଛି ସରକାରଙ୍କ ପୁଲିସ୍ ବାହିନୀ ।

Advertisment

ଦୁଇ ଦିନ ପୂର୍ବରୁ ସଂଗଠନର ଦୁଇ ମୁଖ୍ୟ ନେତାଙ୍କୁ ଗିରଫ କରିବା ପରେ ଆଜି ଭୁବନେଶ୍ୱରରେ ପୁଲିସ୍ ଅଟକ ରଖିଥିଲା , ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକଙ୍କୁ । ଆଉ ସୌମ୍ୟରଂଜନ କହିଥିଲେ, ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଚାଷୀ ସତ୍ୟାଗ୍ରହ, ଯାହା ସରକାରଙ୍କ ପାଇଁ ଖୁବ ମହଙ୍ଗା ପଡିବ । ଶେଷ ଖବର ସୁଦ୍ଧା ସମାବେଶରେ ଯୋଗ ଦେବାକୁ ଆସୁଥିବା ହଜାର ହଜାର ଚାଷୀଙ୍କୁ ଆଜି ଉଠାଇ ନେଇଥିଲା ପୋଲିସ ।

ସମୟ ବିତୁଥିଲା ବିସ୍ତାରିତ ଭାବେ ସତ୍ୟାଗ୍ରହ ବଢୁଥିଲା । ଯଦିଓ ଲୋୟର୍ ପିଏମଜିରେ ବିଦ୍ଧିବଦ୍ଧ ଭାବେ ସତ୍ୟାଗହ ସମାବେଶ ହୋଇ ପାରିନଥିଲା । ହେଲେ ରାଜଧାନୀର ଗଳିକନ୍ଦିରେ ଆରମ୍ଭ ହୋଇଯାଇଥିଲା ଆନ୍ଦୋଳନ । କୁହାଯାଉଛି, ବିଗତ ଦୁଇ ଦଶନ୍ଧି ଭିତରେ ଏହା ହେଉଛି ପ୍ରଥମ ଚାଷୀ ଆନ୍ଦୋଳନ । ଯାହା ଡରାଇ ଦେଇଥିଲା ନବୀନ୍ ସରକାରଙ୍କୁ ।

ଯାହା ସମାନ୍ତରାଳ ଭାବେ ସରକାରଙ୍କୁ ଦେଇ ପାରିଥିଲା ଚ୍ୟାଲେଞ୍ଜ୍ । ହେଲେ ସତ୍ୟାଗ୍ରହ ଆହୁରି ତେଜିଲା ଯେତେବେଳେ ପୁଲିସ୍ ଉଠାଇନେଇଥିଲା ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ । ରସୁଲଗଡ ଛଳରେ ରାସ୍ତା ଉପରେ ଆନ୍ଦୋଳନ କରୁଥିବା ବେଳେ ବେଢି ଯାଇଥିଲେ କମିଶନରେଟ୍ ପୁଲିସ୍ ।

ଅଦିନିଆ ଚେକପୋଷ୍ଟ୍ । ଅସମୟରେ ନାକାବନ୍ଦୀ । ଗାଁରୁ ସହର । ଷ୍ଟେସନରୁ ବସ୍ ଷ୍ଟାଣ୍ଡ୍ । ଲାଗୁଥିଲା ସତେ ଯେମିତି ମାଓବାଦୀଙ୍କୁ ପ୍ରତିହିତ କରିବାକୁ ପସ୍ତୁତ ହୋଇଛି ପୁଲିସ୍ । ଏପରିକି ମେଳିର ଗୁଇନ୍ଦା ସୂଚନା ବି ପହଂଚିଥିଲା ପୁଲିସ୍ ପାଖରେ । ତେଣୁ ମେଳି ଭାଙ୍ଗିବାକୁ ବିଭିନ୍ନ ଅଂଚଳରେ ୧୪୪ ଧାରା ଜାରି କରିଥିଲା ପୁଲିସ୍ ।
ସାରା ରାଜ୍ୟରୁ ହଜାର ହଜାର ଗରିବ ଚାଷୀଙ୍କୁ ଅଟକ ରଖି କ୍ଷମତାଶୀଳ ଧନୀ ସରକାର ସମାବେଶକୁ ଭଣ୍ଡୁର କରିବାକୁ ସକ୍ଷମ ହେଲେ । କିନ୍ତୁ ଆଜି ଆରମ୍ଭ ହୋଇଗଲା ଚାଷୀଙ୍କ ସତ୍ୟାଗ୍ରହ । ଆଜିର ଏହି ଚିତ୍ରକୁ ଦେଖି ଯେ କେହି ଭାବି ବେ , ସତରେ କଣ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାର୍ଯ୍ୟ ଦାବି ପାଇଁ ସ୍ୱର ଉଠାଇବା ଏକ ଅପରାଧ । ଅନ୍ୟାୟର ପ୍ରତିବାଦ କରିବାକୁ କଣ ଚାଷୀର ଅଧିକାର ନାହିଁ । ସତରେ କଣ ବିଜେଡି ସରକାର ପାଲଟିଗଲା ବ୍ରିଟିଶ୍ ସରକାର ।