ଦରମା ଦାବିରେ ଦାଣ୍ଡରେ ଦିଦି ! ୨୪ ଦିନ ହେଲା ରାଜଧାନୀ ରାଜ ରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ

66

କନକ ବ୍ୟୁରୋ : ୨୪ ଦିନ ହେଲା ରାଜଧାନୀ ରାଜ ରାସ୍ତାରେ ଅଙ୍ଗନୱାଡି କର୍ମୀ । ନିଜର ୧୨ ଦଫା ଦାବି ନେଇ ଗତ ମାସ ୧୨ତାରିଖଠାରୁ ଆନ୍ଦୋଳନ କରୁଛନ୍ତି କର୍ମୀ । ଦିନକୁ ଦିନ କାର୍ଯ୍ୟଭାର ବଢୁଥିବାବେଳେ ସେହି ହାରରେ ଆର୍ଥିକ ଅଭିବୃଦ୍ଧି ହେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ୨୪ ଦିନ ହେଲା ସେମାନେ ଆନ୍ଦୋଳନ କରୁଥିଲେ ବି ସରକାର ତାଙ୍କ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।

ଏବେ ଆସନ୍ତୁ ଦେଖିବା ଜଣେ ଅଙ୍ଗନୱାଡି କର୍ମୀ ନିଜ କାର୍ଯ୍ୟ ପାଇଁ କେତେ ଟଙ୍କା ପାଉଛନ୍ତି ।

ଅଙ୍ଗନୱାଡି କର୍ମୀ
ମୋଟ ଦରମା         ୪୦୦୦ ଟଙ୍କା
କେନ୍ଦ୍ର ସରକାର        ୩୦୦୦ ଟଙ୍କା
ରାଜ୍ୟ ସରକାର        ୧୦୦୦ ଟଙ୍କା

ମିନି ଅଙ୍ଗନୱାଡି କର୍ମୀ
ମୋଟ ଦରମା         ୨୭୫୦ ଟଙ୍କା
କେନ୍ଦ୍ର ସରକାର        ୨୨୫୦ ଟଙ୍କା
ରାଜ୍ୟ ସରକାର        ୫୦୦ ଟଙ୍କା

ସହାୟିକା
ମୋଟ ଦରମା         ୨୦୦୦ ଟଙ୍କା
କେନ୍ଦ୍ର ସରକାର        ୧୫୦୦ ଟଙ୍କା
ରାଜ୍ୟ ସରକାର        ୫୦୦ ଟଙ୍କା

ଏହାଛଡା ଆନୁସଙ୍ଗୀକ ଭତ୍ତା ବାବଦରେ ବୈଠକ ପିଛା ୧୩୦ ଟଙ୍କା ସେମାନଙ୍କୁ ମିଳିବା କଥା । କିନ୍ତୁ ତାହା ଠିକ ଭାବେ ଦିଆଯାଉ ନାହିଁ । ସେହିପରି ଗର୍ଭବତୀ ମହିଳାଙ୍କ ସେବା ବାବଦରେ ୨୦୦ଟଙ୍କା ଅର୍ଥ ମିଳିବାକୁ ଥିବା ବେଳେ ତାହା ମଧ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି ।

ସେପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ଦରମା ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରାଯାଉଛିି ।ପୃଷ୍ଟିକର ଖାଦ୍ୟ ବଂଟନ,ଟିକାକରଣ ସହ ସ୍ୱାସ୍ଥ୍ୟ ସହାୟତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଙ୍ଗନୱାଡି କର୍ମୀ କରିଥାନ୍ତି । ଏବେ ସେମାନେ ଆନ୍ଦୋଳନକୁ ଆସିଯିବା ପରେ ଅନେକ ଗରୁତ୍ୱପୂର୍ଣ୍ଣ ସେବା ବ୍ୟାହତ ହୋଇ ପଡିଛି ।