କନକ ବ୍ୟୁରୋ : ଘର ମିଳୁନି, ମିଳିଚାଲିଛି ତାରିଖ ପରେ ତାରିଖ । ଡୁମୁଡୁମା ଫେଜ୍ ସେଭେନରେ ହାଉସିଂ ବୋର୍ଡ ଏପର୍ଯ୍ୟନ୍ତ ଘର ଯୋଗାଇ ନାହିଁ । ଡିସେମ୍ବର ୨୫ ତାରିଖରେ ଘର ଆଲଟମେଣ୍ଟ ଲାଗି ପ୍ରତିଶ୍ରୁତି ମିଳିଥିଲା । ତେବେ ଘର ନମିଳିବାରୁ ହାଉସିଂ ବୋର୍ଡ ଅଫିସ ଆଗରେ ପ୍ରତିବାଦ କରିଛନ୍ତି ହିତାଧିକାରୀ । କେବେ ଘର ମିଳିବ ସେନେଇ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ।
ଘର ମିଳିଲାନି, ତାରିଖ ମିଳିଲା । ଜାନୁଆରୀରେ କାମ ସାରିବେ, ଫେବ୍ରୁଆରୀରେ ବାଣ୍ଟିବେ ! ଘର ଦେଉନି ହାଉସିଂ ବୋର୍ଡ । ଡୁମୁଡୁମା ଫେଜ୍ ସେଭେନରେ ଏପର୍ଯ୍ୟନ୍ତ ମିଳିପାରିନି ଘର । ଡିସେମ୍ବର ୨୫ ତାରିଖରେ ଘର ଆଲଟମେଂଟ ଲାଗି ପ୍ରତିଶ୍ରୁତି ଦେଇଥିଲା ହାଉସିଂବୋର୍ଡ । ଘର ନମିଳିବାରୁ ହାଉସିଂ ବୋର୍ଡ ଅଫିସ ଆଗରେ ପ୍ରତିବାଦ କରିଛନ୍ତି ହିତାଧିକାରୀ । କେବେ ଘର ମିଳିବ, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ।
୨୦୧୬ରେ ଡୁମୁଡୁମା ଫେଜ୍ ସେଭେନରେ ଘର କିଣିବାକୁ ମନୋନୀତ ହୋଇଥିଲେ ୫୦୦ ଆବେଦନକାରୀ । କିସ୍ତି ଅନୁସାରେ ଟଙ୍କା ମଧ୍ୟ ପୈଠ କରିଛନ୍ତି । ନିୟମ ଅନୁସାରେ ଏମାନଙ୍କୁ ୩୬ ମାସ ମଧ୍ୟରେ ଘର ଯୋଗାଇ ଦେବା କଥା । ଅର୍ଥାତ ୨୦୧୯ ଡିସେମ୍ବର ସୁଦ୍ଧା ଘର ପାଇବା କଥା ହିତାଧିକାରୀ । ଏହାରି ଭିତରେ ଆହୁରି ୨ ବର୍ଷ ବିତିଗଲାଣି ହେଲେ ଏପର୍ଯ୍ୟନ୍ତ ଘର କାମ ଶେଷ ହୋଇନି । ଆପ୍ରୋଚ ରୋଡ୍ ହୋଇନି, ଲିଫ୍ଟ, ଜଳ ଯୋଗାଣ, ଇଲେକ୍ଟ୍ରିଫିକେସନ୍ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇନି, ପାର୍କିଂ ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ବାକି ରହିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।
ହିତାଧିକାରୀଙ୍କ ଅଭିଯୋଗ, ସେମାନେ ଲୋନ କରି ଟଙ୍କା ପଇଠ କରିଛନ୍ତି । ଗୋଟିଏ ପଟେ ବ୍ୟାଙ୍କକୁ ସୁଧ ଦେଉଛନ୍ତି, ଅନ୍ୟପଟେ ଘର ଭଡ଼ା ଦେଇ ଭୁବନେଶ୍ୱରରେ ରହୁଛନ୍ତି । ବାରମ୍ବାର ଅଭିଯୋଗ କରୁଥିଲେ ବି ହାଉସିଂବୋର୍ଡ କର୍ତ୍ତୃପକ୍ଷ ସେମାନଙ୍କୁ ଘର ଦେଉନାହାନ୍ତି । କୋଭିଡକୁ ଆଳ କରି କେବଳ ସମୟ ଗଡ଼ାଇ ଚାଲିଛନ୍ତି । ତେବେ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ଜାନୁଆରୀ ୩୧ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବା ପରେ ପର୍ଯ୍ୟାୟ କ୍ରମେ ଘର ହସ୍ତାନ୍ତର କରାଯିବ ।
ତେବେ ସବୁଠୁ ବଡ଼ କଥା ହେଲା, ହାଉସିଂ ବୋର୍ଡ ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଥିବା ବେଳେ ପୁରୁଣା ପ୍ରକଳ୍ପରେ ହୋଇଥିବା ଘର ହସ୍ତାନ୍ତର କରିପାରୁନଥିବାରୁ ଲୋକଙ୍କ ମନରେ କ୍ଷୋଭ ପ୍ରକାଶ ପାଉଛି । ଲିଖିତ ପ୍ରତିଶ୍ରୁତି ପାଇବା ପରେ ଡୁମୁଡୁମା ଫେଜ୍ ସେଭେନର ହିତାଧିକାରୀ କହିଛନ୍ତି, ଯଦି ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ନହୁଏ, ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।