୩୫ଟି ଛୋଟ ସହରକୁ ଏନଏସି ମାନ୍ୟତା ଦେବା ପରେ ଅନ୍ୟ ସ୍ଥାନରେ ତେଜୁୁଛି ଅସନ୍ତୋଷ । ସୋର, ରାଜକନିକାକୁ ଏନଏସି ଦାବିରେ ପ୍ରତିବାଦ

158

କନକ ବ୍ୟୁରୋ: ଶନିବାର ୨୦ଟି ଜିଲ୍ଲାର ୩୪ଟି ଛୋଟ ସହରକୁ ଏନଏସି ମାନ୍ୟତା ଓ ରବିବାର ବୀରମହାରାଜପୁରକୁ ଏନଏସି ମାନ୍ୟତା ଦେବା ପରେ, ଅନ୍ୟ ଅଞ୍ଚଳରେ ତେଜିବାରେ ଲାଗିଛି ଅସନ୍ତୋଷ । ଏନଏସି ବା ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବି କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି ।

ନୂଆ ଏନଏସି ଗଠନ ଓ ମୁନସିପାଲିଟି ଘୋଷଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢ଼ୁଛି । ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଦାବିରେ ବାଲେଶ୍ୱର ଜିଲ୍ଲା ଖଇରା ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବାସି ରାସ୍ତାକୁ ଓହ୍ଲାଇଛନ୍ତି । ତୁରନ୍ତ ଏନଏସି ଘୋଷଣା ନକଲେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ନେତା ।

କେବଳ ନୂଆ ଏନଏସି ଘୋଷଣାକୁ ନେଇ ନୁହେଁ, ଭଞ୍ଜନଗର ଏନଏସିକୁ ମ୍ୟୁନସିପାଲଟି ଘୋଷଣା କରାନଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଭଞ୍ଜନଗରକୁ ତୁରନ୍ତ ମ୍ୟୁନସିପାଲିଟି ଘୋଷଣା କରିବା ଦାବିରେ ନାଗରିକ କମିଟି ଓ ଅନ୍ୟ ସଂଗଠନର ସଦସ୍ୟମାନେ ଧାରଣା ଦେଇଛନ୍ତି । ତେବେ ବିଭିନ୍ନ ଆଡୁ ପ୍ରତିବାଦର ଚିତ୍ର ଆସୁଥିବାବେଳେ, ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ବିରୋଧୀ ମାନେ ଅଭିଯୋଗ କରିବେ କିନ୍ତୁ ଲୋକ ପ୍ରତିନିଧି ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ।

୩୪ଟି ନୂଆ ଏନଏସି ଘୋଷଣା ପରେ, ବୀରମହାରାଜପୁରରେ ପ୍ରତିବାଦ ହୋଇଥିଲା । ଆଉ ପ୍ରତିବାଦ ପରେ ବୀରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହା ଅନ୍ୟ ଅଞ୍ଚଳବାସୀଙ୍କ ବିକ୍ଷୋଭ କରିବା ପାଇଁ ଖୋରାକ ଯୋଗାଇଛି ବୋଲି କୁହାଯାଉଛି । ହେଲେ, ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଆଉ କେତୋଟି ସ୍ଥାନକୁ ଏଭଳି ଏନଏସିର ମାନ୍ୟତା ଦେବେ?