ବଢିଲା ମାନସ ଦାସଙ୍କ ଗିରଫ ଦାବି : ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ବାହାରେ ଶତାଧିକ ଲୋକଙ୍କ ନାରାବାଜି

ଧର୍ମାନ୍ତୀକରଣ କରୁଥିବା ଅଭିଯୋଗ ଆଣିଲା ହିନ୍ଦୁ ଜାଗରଣ ମଂଚ; ସେପଟେ ମୁଣ୍ଡିଆ ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଧାୟକ ସୁଶାନ୍ତ ରାଉତ

171

କନକ ବ୍ୟୁରୋ : ମାନସ ଦାସ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ବଢିବା ପରେ ଗିରଫଦାରୀ ଦାବି ମଧ୍ୟ ବଢିବାରେ ଲାଗିଛି । ମାନସ ଦାସର ଗିରଫ ଦାବି କରି ଏକାଠି ହୋଇଛନ୍ତି ଶତାଧିକ ଲୋକ । ବିଭିନ୍ନ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଏସ୍ପିଙ୍କ ଅଫିସ୍ରେ ଦାବି ପତ୍ର ଦିଆଯାଇଛି । ହିନ୍ଦୁଜାଗରଣ ମଂଚ ପକ୍ଷରୁ ଏସ୍ପି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାନସ ଦାସର ଗିରଫ ଦାବି କରି ସଂଗଠନର ସଦସ୍ୟମାନେ ନାରା ଦେଇଛନ୍ତି ।

ମାନସ ଧର୍ମାନ୍ତୀକରଣ କରୁଥିବା ଅଭିଯୋଗ କରିଛି ହିନ୍ଦୁ ଜାଗରଣ ମଂଚ । ମାନବବାଦୀ ସଂଗଠନ ଜରିଆରେ ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ନୀରିହ ଆଦିବାସୀଙ୍କ ଉପରେ ମାନସ ଦାସର ଇସାରାରେ ଅକଥନୀୟ ଅତ୍ୟାଚାର ହେଉଥିବା ଅଭିଯୋଗ ସବୁ ଆସିବାରେ ଲାଗିଛି । ମାନସର ସାରଥୀ ଷ୍ଟାଇଲରେ ପ୍ରବଚନ, ନେତାଙ୍କ ଗହଣରେ ତାର ପତିଆରାର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି ।

ଭୁବନେଶ୍ୱର ଉତରର ବିଧାୟକ ସୁଶାନ୍ତ ରାଉତ ମାନସ ଦାସଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁଶାନ୍ତ ରାଉତ କହିଛନ୍ତି, ନିର୍ବାଚନ ପୂର୍ବରୁ ଆମେ ଲୋକଙ୍କ ପାଖକୁ ଯାଉ ଆଉ ସେହି କ୍ରମରେ କିଛି ଲୋକ ମତେ ମାନସ ଦାସଙ୍କ ପାଖକୁ ନେଇ ଯାଇଥିଲେ । ଆଉ ମାନସ ଦାସଙ୍କ ନିକଟରେ ୨ଶହ ଭୋଟ ଥିବାରୁ ମୁଁ ତାଙ୍କ ପାଖକୁ ଯାଇଥିଲି । ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଭୁବନେଶ୍ୱର ଉତରର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ମାନସ ଦାସଙ୍କୁ ମୁଣ୍ଡିଆ ମାରୁଥିଲେ ।