ବୈଜୟନ୍ତଙ୍କ ପାକିସ୍ତାନ ଟ୍ୱିଟକୁ ନେଇ ଜଳିଲା ପ୍ରତିବାଦର ନିଆଁ । ସରଗରମ ହେଲା ରାଜନୀତି, ବିଜେଡି କହିଲା, ଦଳରୁ ଚାଲିଗଲା ପରେ କେମିତି ଖରାପ ହୋଇଗଲା ଓଡିଶାର ଶାସନ ।

403

କନକ ବ୍ୟୁରୋ : ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେବାର ଶୈଳୀକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପାକିସ୍ତାନ ସହ ତୁଳନା କରିବା ବୈଜୟନ୍ତଙ୍କୁ ମହଙ୍ଗା ପଡିଛି । ଭୁବନେଶ୍ୱର, ସମ୍ବଲପୁର ଓ ଝାରସୁଗୁଡାରେ ବୈଜୟନ୍ତଙ୍କ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଛି । ଏପରିକି ଭୁବନେଶ୍ୱରରେ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ କଂଗ୍ରେସ ନେତା ପ୍ରଦୀପ ମାଝୀ ବୈଜୟନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ବିଜେଡି ପ୍ରଶ୍ନ କରିଛି, ବୈଜୟନ୍ତ ବିଜେଡିରେ ଥିଲା ଯାଏଁ ରାଜ୍ୟର ଶାସନ ଓ ପ୍ରଶାସନ ଠିକ ଥିଲା । ବିଜେପିକୁ ଗଲା ପରେ ଓଡିଶା ଅଶାନ୍ତ କେମିତି ହେଲା । ସେପଟେ ବୈଜୟନ୍ତଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେପି କହିଛି ଟୁଇଟର ଅର୍ଥକୁ କଦର୍ଥ କରାଯାଉଛି ।

ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟର ଅର୍ଥ ଓ ଭାବାର୍ଥକୁ ନେଇ ହୁଏତ ଦ୍ୱିମତ ଥାଇପାରେ କିନ୍ତୁ ଲୋକ ଯାହା ବୁଝିଛନ୍ତି ତାହା ସ୍ପଷ୍ଟ । ତାହା ହୋଇନଥିଲେ ଭୁବନେଶ୍ୱରରୁ ଆରମ୍ଭ କରି ସମ୍ବଲପୁର ଏବଂ ଝାରସୁଗୁଡ଼ା ଯାଏଁ, ଏଭଳି ପ୍ରତିବାଦ ହୋଇଥାନ୍ତା କିପରି ? ପ୍ରତିବାଦ, ବିକ୍ଷୋଭ ଓ କୁଶପୁତଳିକା ଦାହ ଭିତରେ ଗୋଟିଏ କଥା ହୁଏତ ସ୍ପଷ୍ଟ ଯେ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଯାହା ଟ୍ୱିଟରେ ଲେଖିଛନ୍ତି ଏବଂ ତାକୁ ନେଇ ଯେଉଁ ସଫେଇ ରଖିଛନ୍ତି, ତାକୁ ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି । ଝାରସୁଗୁଡ଼ା ଓ ସମ୍ବଲପୁରରେ ଲୋକ କୁଶପୁତ୍ତଳିକା ଦାହ କରିଥିବା ବେଳେ ଭୁବନେଶ୍ୱରରେ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ସାଧାରଣରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି, ତାହା ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଦେଇଛି । ସାଢ଼େ ୪ କୋଟି ଓଡ଼ିଆଙ୍କ ଆଗରେ ବୈଜୟନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଏପଟେ ବିଜେଡି ପ୍ରଶ୍ନ କରିଛି, ବୈଜୟନ୍ତ ବିଜେଡିରେ ଥିଲା ଯାଏଁ ରାଜ୍ୟର ଶାସନ ଓ ପ୍ରଶାସନ ଠିକ୍ ଥିଲା । ଓଡିଶା ଶାନ୍ତିପ୍ରିୟ ଥିଲା । ବିଜେପିକୁ ଯିବାପରଠାରୁ ଓଡିଶା କେମିତି ଅଶାନ୍ତି ଲାଗିଲା । ଆଉ ବିଜେଡି ଓ କଂଗ୍ରେସର ଆକ୍ରମଣ ଭିତରେ ବୈଜୟନ୍ତଙ୍କୁ ସୁରକ୍ଷା ଦେବା ପାଇଁ ବାହାରି ଆସିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ।

ଜଣେ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାକୁ ଯାଇ, ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଲେଖିଥିଲେ,
-ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ । ତା ପୁଣି, ପୁଲିସ ଆଇନର ବିନା ପ୍ରକ୍ରିୟାରେ କରୁଛି, ଠିକ୍ ପାକିସ୍ତାନ ଭଳି । ଏହା ହେଉଛି ପ୍ରକୃତ ଫାଶୀବାଦ ।

ଆଉ ଯେତେବେଳେ ଏହାକୁ ନେଇ ବିବାଦ ଉଠିଥିଲା ଇଂରାଜୀ ଟ୍ୱିଟର ଓଡ଼ିଆରେ ସଫେଇ ରଖିଥିଲେ ବୈଜୟନ୍ତ । ଯେଉଁଥିରେ ସେ ଲେଖିଥିଲେ,
ଓଡ଼ିଶା, ପାକିସ୍ତାନ ଭଳି ବୋଲି ମୁଁ କହିନଥିଲି, ମୁଁ କହିଥିଲି ଯେ, ଓଡ଼ିଶା ଓ ମହାରାଷ୍ଟ୍ର ପୁଲିସ୍ ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୁଲିସ୍ ଭଳି ବ୍ୟବାହାର କରୁଛି ।