ଭଦ୍ରକକୁ ଦିଆଯିବନି କେନ୍ଦ୍ରାପଡା ପାଣି । ଖରସ୍ରୋତା ପାଣିକୁ ନେଇ ଭଦ୍ରକରେ ମେଗା ଜଳ ଯୋଗାଣ ପ୍ରକଳ୍ପକୁ ଜୋରଦାର ବିରୋଧ

350

କନକ ବ୍ୟୁରୋ : ଭଦ୍ରକକୁ ଦିଆଯିବନି କେନ୍ଦ୍ରାପଡା ପାଣି । ଏମିତି ଜିଦରେ ଅଟଳ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି । ଖରସ୍ରୋତା ପାଣିକୁ ନେଇ ଭଦ୍ରକରେ ହେଉଥିବା ମେଗା ଜଳ ଯୋଗାଣ ପ୍ରକଳ୍ପକୁ କେନ୍ଦ୍ରାପଡାର ରାଜକନିକା ଓ ଆଳିରେ ଜୋରଦାର ବିରୋଧ କରାଯାଇଛି । ଖରସ୍ରୋତା ନଦୀ ଉପରେ ବ୍ୟାରେଜ ନକଲେ ଭଦ୍ରକ ଜିଲ୍ଲାକୁ ପାଣି ଦିଆଯିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ।

ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଜଳ ଯୋଗାଣ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡାର ରାଜକନିକା ଓ ଆଳି ଅଞ୍ଚଳରେ ମେଳି ବାନ୍ଧୁଛନ୍ତି ଲୋକେ । ଭଦ୍ରକର ୩ଟି ବ୍ଲକକୁ ପାଣି ଯୋଗାଇବା ପାଇଁ କେନ୍ଦ୍ରାପଡାର ରାଜକନିକା ଓ ଆଳି ମଧ୍ୟ ଦେଇ ଯାଇଥିବା ଖରସ୍ରୋତା ନଦୀ ଉପରେ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ରାଜ୍ୟ ସରକାର ୮୭୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ପାଇଁ ସବୁ ବ୍ୟବସ୍ଥା ସାରି ଚାନ୍ଦବାଲି ବ୍ଲକରେ କାମ ଆରମ୍ଭ ହୋଇଛି । ଏଣେ କେନ୍ଦ୍ରାପଡାର ରାଜକନିକା ଅଂଚଳରେ ମଧ୍ୟ ବଡବଡ ପାଇପ ଗଦା ହେଲାଣି । ଯାହାକୁ ଦେଖି ବିରୋଧ ତୀବ୍ର କରିଛି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ।

ରାଜକନିକା ଓ ଆଳି ବ୍ଲକ ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀ ଉପରେ ନିର୍ଭର କରନ୍ତି ୨ଟି ବ୍ଲକର ପ୍ରାୟ ୪୫ଟି ପଂଚାୟତ । ଏହି ବ୍ଲକର ଅଧିକାଂଶ ଲୋକ ଚାଷ ଓ ମାଛ ଧରି ନିଜ ଗୁଜୁରାଣ ମେଂଟାଇ ଥାନ୍ତି । ଏମିତି ରେ ଏହି ନଦୀ ଖରାଦିନେ ଶୁଖି ଯାଏ, ଏବେ ଯଦି ଭଦ୍ରକରେ ଜଳ ଯୋଗାଣ ପ୍ରକଳ୍ପ ହୁଏ, ତେବେ ନଦୀ ଅଂଚଳରେ ଜଳ ସଂକଟ ଦେଖାଯିବ । ତେଣୁ ପ୍ରଥମେ ନଦୀ ଉପରେ ଏକ ବ୍ୟାରେଜ ନିର୍ମଣ କରି ରାଜକନିକା ଓ ଆଳି ଅଂଚଳର ଚାଷ ଜମିକୁ ଜଳସେଚିତ କରାଯାଉ ତାପରେ ପାଣି ଅନ୍ୟ ଜିଲ୍ଲାକୁ ନିଆଯାଉ ଦାବି କରୁଛି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ।

ବିରୋଧ ତୀବ୍ର ହେବା ପରେ ଆଳି ବିଧାୟକ ପ୍ରତାପ ଦେବ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ.ଏସପି ଓ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି, ହେଲେ କୌଣସି ସୁଫଳ ମିଳିନଥିଲା । କେନ୍ଦ୍ରାପଡାରେ ଖରସ୍ରୋତା ନଦୀ ଉପରେ ବ୍ୟାରେଜ ନହେଲେ କୌଣସି ପ୍ରକାରେ କେନ୍ଦ୍ରାପଡାରୁ ପାଣି ଭଦ୍ରକକୁ ଦିଆଯିବ ନାହିଁ ବୋଲି ଜିଦ୍ ଧରି ବସିଛି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ।