କନକ ବ୍ୟୁରୋ: ଶନିବାର ୨୦ଟି ଜିଲ୍ଲାର ୩୪ଟି ଛୋଟ ସହରକୁ ଏନଏସି ମାନ୍ୟତା ଓ ରବିବାର ବୀରମହାରାଜପୁରକୁ ଏନଏସି ମାନ୍ୟତା ଦେବା ପରେ, ଅନ୍ୟ ଅଞ୍ଚଳରେ ତେଜିବାରେ ଲାଗିଛି ଅସନ୍ତୋଷ । ଏନଏସି ବା ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବି କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି ।

Advertisment

ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଦାବିରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଲେଶ୍ୱର ଜିଲ୍ଲା ଖଇରା ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ଅସନ୍ତୋଷ ତେଜିବାରେ ଲାଗିଛି । ମନମୁଣ୍ଡାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବାବେଳେ ସୋର ଓ ରାଜକନିକାରେ ଲୋକେ ପ୍ରତିବାଦ କରିଛନ୍ତି । ତୁରନ୍ତ ଏନଏସି ଘୋଷଣା ନକଲେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ ।

କେବଳ ନୂଆ ଏନଏସି ଘୋଷଣାକୁ ନେଇ ନୁହେଁ, ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରାନଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଭଞ୍ଜନଗରକୁ ତୁରନ୍ତ ମ୍ୟୁନିସିପାଲିଟି ଘୋଷଣା କରିବା ଦାବିରେ ନାଗରିକ କମିଟି ଓ ଅନ୍ୟ ସଙ୍ଗଠନର ସଦସ୍ୟମାନେ ଧାରଣା ଦେଇଛନ୍ତି । ତେବେ ବିଭିନ୍ନ ଆଡୁ ପ୍ରତିବାଦର ଚିତ୍ର ଆସୁଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏନଏସି ଘୋଷଣାକୁ ବିରୋଧୀ ନିର୍ବାଚନୀ ଚାଲ କହି ସମାଲୋଚନା କରିଛନ୍ତି । ଅନ୍ୟପଟେ ଶାସକ ଦଳର ନେତା କହିଛନ୍ତି, ବିରୋଧୀ ମାନେ ଅଭିଯୋଗ କରିବେ କିନ୍ତୁ ଲୋକ ପ୍ରତିନିଧି ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ।

୩୪ଟି ନୂଆ ଏନଏସି ଘୋଷଣା ପରେ, ବୀରମହାରାଜପୁରରେ ପ୍ରତିବାଦ ହୋଇଥିଲା । ଆଉ ପ୍ରତିବାଦ ପରେ ବୀରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହା ଅନ୍ୟ ଅଞ୍ଚଳବାସୀଙ୍କ ବିକ୍ଷୋଭ କରିବା ପାଇଁ ଖୋରାକ ଯୋଗାଇଛି ବୋଲି କୁହାଯାଉଛି । ତେଣୁ, ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ଏହି ଘୋଷଣା ଆଗକୁ ଅଡୁଆ ବଢ଼ାଇବ ନାହିଁ ତ?