ସ୍ୱାଭିମାନ ଅଞ୍ଚଳରେ ଗଞ୍ଜେଇ ଗଛ କଟାକୁ ବିରୋଧ । ଲୋକେ କହିଲେ, ଫସଲର ଉଚିତ୍ ମୂଲ୍ୟ ମିଳିଲେ ଛାଡିଦେବୁ ଗଞ୍ଜେଇ ଚାଷ । 

119

କନକ ବ୍ୟୁରୋ : ପୁଲିସର ଗଂଜେଇ କଟା ଅଭିଯାନ ବିରୋଧରେ ସ୍ୱାଭିମାନ ଅଂଚଳରେ ପ୍ରଜାମେଳୀ । ପ୍ରଶାସନ ଗଂଜେଇ ଚାଷକୁ ବିରୋଧ କରୁଛି, କିନ୍ତୁ ଆଦିବାସୀ ଅଂଚଳରେ ଚାଷ ହେଉଥିବା ହଳଦୀ, ବିରି, ମାଣ୍ଡିଆ ଓ ପନିପରିବାର ଉଚିତ୍ ମୂଲ୍ୟ ମିଳୁନାହିଁ । ତେଣୁ ରୋଜଗାର ଆଶାରେ ଲୋକେ ଗଂଜେଇ ଚାଷ କରୁଛନ୍ତି । ସରକାର ଗଂଜେଇ ଚାଷ ନଷ୍ଟ କରିବା ଆଗରୁ ସ୍ୱାଭିମାନ ଅଂଚଳର ଚାଷୀ ନିଜ ଉତ୍ପାଦର କିଭଳି ସଠିକ୍ ମୂଲ୍ୟ ପାଇବେ ସେଥିପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି ଆଦିବାସୀ ।

ମାଲକାନଗିରି ସ୍ୱାଭିମାନ ଅଂଚଳରେ ହଜାର ହଜାର ଲୋକଙ୍କ ପ୍ରଜାମେଳି ।  ପୁଲିସର ଗଂଜେଇ କଟା ଅଭିଯାନକୁ ବିରୋଧ କରି ଏକାଠି ହୋଇଛନ୍ତି ଧୂଳିପୁଟ ଓ ରାଲେଗୋଡ ପଂଚାୟତର ୩୫ ଗାଁର ଲୋକେ । ଧୁଳିପୁଟରେ ଶୋଭାଯାତ୍ରା କରି ଲୋକେ ପୁଲିସ ଓ ଅବକାରୀ ଅଧିକାରୀଙ୍କ ବିରୋଧରେ ପ୍ରଜାମେଳି କରି ନାରାବାଜି କରିଛନ୍ତି ।

ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ନଜରକୁ ଆସିବା ପରେ ଆକ୍ସନରେ ଆସିଛି ପୁଲିସ । ଅବକାରୀ ବିଭାଗ ସହ ମିଶି ପୁଲିସ ଗଂଜେଇ କଟା ଅଭିଯାନ ଆରମ୍ଭ କରିଛି । ଫଳରେ ଗଂଜେଇ ଚାଷ ଉପରେ ନିର୍ଭର କରି ଚଳୁଥିବା ଏହି ଅଂଚଳର ଲୋକଙ୍କ ମୁଣ୍ଡ ଉପରେ ଏବେ ଚଡକ ପଡିଛି ।

ସ୍ୱାଭିମାନ ଅଂଚଳର ଅନେକ ସ୍ଥାନ ପାହାଡିଆ ଓ ଜଙ୍ଗଲଜମି । ଲୋକଙ୍କ କହିବା କଥା ହେଲା ଏଠାକାର ମାଟି ଚାଷ ଉପଯୋଗୀ ନୁହେଁ । ହଳଦୀ, ମାଣ୍ଡିଆ, ପନିପରିବା ଓ ଅନ୍ୟ ଚାଷ କଲେ ସେମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ । ଫଳରେ ବାଧ୍ୟହୋଇ ଲୋକେ ଗଞ୍ଜେଇ ଚାଷକୁ ଆପଣେଇଛନ୍ତି । ଶୋଭାଯାତ୍ରା ମାଧ୍ୟମରେ ଲୋକେ ସନ୍ଦେଶ ଦେବାକୁ ଚାହିଁଛନ୍ତି, ଯଦି ପନିପରିବା ଓ ଚାଷ ଜିନିଷର ଉଚିତ ମୂଲ୍ୟ ମିଳେ ତାହାହେଲେ ସେମାନେ ଗଂଜେଇ ଚାଷ ଛାଡିଦେବେ । ସ୍ୱାଭିମାନ ଅଂଚଳର ଲୋକେ ଧୂଳିପୁରରେ ପ୍ରଜାମେଳି କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଶ୍ନ ଉଠୁଛି, ସରକାର କଣ ସ୍ଥାନୀୟ ଲୋକଙ୍କ ଦାବି ମାନିବେ ।