୪ ଫୁଟ ମୂର୍ତ୍ତି ଓ ପରଦା ଟାଣି ପୂଜାକୁ ବିରୋଧ ହେଉଛି ଜୋରଦାର, ୧୩ରେ କଟକ ବନ୍ଦ ଡାକରା

ବିଭିନ୍ନ ସଂଗଠନ ଓ ପୂଜା ମଣ୍ଡପର ପ୍ରତିବାଦ ପରେ ଆଗକୁ ଆସିଲା ବିଜେପି

126

କନକ ବ୍ୟୁରୋ : ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାକା ବିରୋଧରେ କଟକରେ ପ୍ରତିବାଦ ସ୍ୱର ତୀବ୍ର ହୋଇଛି । ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ଏଭଳି ନିଷ୍ପତ୍ତିରେ ଅଭିନବ ପ୍ରତିବାଦ ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ମୂର୍ତି ଗଢ଼ା ପ୍ରକ୍ରିୟାର ଶୁଭାରମ୍ଭ ହୋଇଥାଏ । ତେଣୁ ସରକାର ତା ପୂର୍ବରୁ ଏହି କଟକଣା ହଟାନ୍ତୁ ନଚେତ ଆସନ୍ତା ୧୩ ତାରିଖରେ ପ୍ରତିବାଦରେ କଟକ ବନ୍ଦ ରହିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବାସଭବରେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୪ ଫୁଟ ମୂର୍ତ୍ତି ଓ ପରଦା ଟାଣି ପୂଜାକୁ ବିଜେପି ପକ୍ଷରୁ ବିରୋଧ କରାଯିବା ସହ ୧୩ ତାରିଖରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ସରକାର ପ୍ରାୟ ସବୁ କଟକଣାକୁ ବହୁମାତ୍ରାରେ କୋହଳ କରି ସାରିଛନ୍ତି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ୍, ଯାତ୍ରା ଇତ୍ୟାଦି ଖୋଲି ସାରିଛି । ଏଭଳି ସ୍ଥିତିରେ କେଉଁ ଆଧାରରେ ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ ଧାର୍ଯ୍ୟ କରିଛନ୍ତି ଆଉ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ କହୁଛନ୍ତି, ତାହା ବୁଝି ହେଉ ନାହିଁ । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି, ସାମାଜିକ ସଂଗଠନ ଏହାକୁ ବିରୋଧ କରି ଚାଲିଥିଲେ ବି ସରକାର ଜିଦରେ ଅଟଳ ରହିଛନ୍ତି । ସହରବାସୀ ଅନ୍ୟ ସମସ୍ତ କଟକଣାକୁ ସମ୍ମାନ ଜଣାଇବା ସହିତ କୋଭିଡ୍ ଗାଇଡଲାଇନକୁ ମଧ୍ୟ ସ୍ବାଗତ କରୁଛନ୍ତି । କିନ୍ତୁ ଏଭଳି ପୂଜା ଉପରେ କଟକଣା ସହରବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରୁଛି। ଏହାକୁ ଏକ ବିକୃତ ଚିନ୍ତାଧାରା ଦର୍ଶାଇ ସରକାର ତୁରନ୍ତ ଏହି ନିଷ୍ପତ୍ତି ବଦଳାନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।