ଟୁଲ୍ କିଟ୍ ମାମଲାରେ ଗିରଫ ଦିଶା ରବିଙ୍କ ସମର୍ଥନରେ ଦିଲ୍ଳୀରୁ ବେଙ୍ଗାଲୁର ସବୁଠି ପ୍ରତିବାଦ । ସେପଟେ ଦିଲ୍ଲୀ ପୋଲିସକୁ ନୋଟିସ ନେଲା ଡିସିଡବ୍ଲୁ ।

148

କନକ ବ୍ୟୁରୋ : ସମାଜରେ ସଚେତନ ବାର୍ତା ବାଂଟୁଥିବା ଯୁବ ପରିବେଷବିତ୍ ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ, ଦିଲ୍ଲୀ ପୋଲିସ ଗିରଫ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏପରକି କୋର୍ଟରେ ହାଜର କରିବା ସମୟରେ ପକ୍ଷ ରଖିବା ପାଇଁ ଓକିଲଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆ ନଯିବା ଆହୁରି ବିସ୍ମିତ କରିଛି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନକୁ ନେଇ ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଅଭିବ୍ୟକ୍ତିର ସ୍ୱାଧୀନତାକୁ ହତ୍ୟା କରିବା ପାଇଁ ଏପରି କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏସବୁ ଭିତରେ ଦିଶା ରବିଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଜୋର ଧରିଛି ଦାବି ।

ଦିଶା ରବି । ଏହି ନାଁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସମାଜରେ ସଚେତନ ବାର୍ତା ବାଂଟୁଥିବା ଏହି ଯୁବତୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୃଷକ ଆନ୍ଦୋଳନକୁ ଅଧିକ ଉଗ୍ର ଓ ହଂସାତ୍ମକ କରିବା ଉଦ୍ଦେଶ୍ୟରେ ଟୁଲକିଟ୍ ପ୍ରସ୍ତୁତ କରିବାରେ ସେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ହେଲେ, ଟୁଲକିଟ୍ ପ୍ରକରଣ ଓ ଏହାକୁ ନେଇ ଚାଲିଥିବା ଧରପଗଡ ଏକ ପ୍ରାୟୋଜିତ ଷଡଯନ୍ତ୍ର ବୋଲି ଅନେକ ମତ ଦେବା ପରେ ଦିଶାଙ୍କ ପ୍ରତି ଦେଶରେ ସମର୍ଥନ ବଢ଼ିବାରେ ଲାଗିଛି ।

ଦିଶାଙ୍କ ଗିରଫଦାରୀକୁ ବିରୋଧ କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦିଲ୍ଳୀ , ମୁମ୍ବାଇ, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର ଦିଶାଙ୍କ ବିରୋଧରେ ଲଗାଇଥିବା ଦଫା ହଟାଇବା ସହ ଦେଶର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ସାମାଜିକ କର୍ମୀ । ଏହି ଦାବି କରି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ , ସାମାଜିକ କର୍ମୀ ଓ ପରିବେଶକମୀ ବିକ୍ଷୋଭ କରିଛନ୍ତି ।

ଦିଶାଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ଛାତ୍ର ଓ ସାମାଜିକ କର୍ମୀ । ସେମାନେ ଦିଶାଙ୍କ ଗିରଫ ଦାରୀକୁ ନିନ୍ଦା କରିବା ସହ ତୁରନ୍ତ ମୁକ୍ତି କରିବା ପାଇଁ ଦାବି କରି ବିକ୍ଷୋଭ କରିଥିଲେ । ବିକ୍ଷାଭକାରୀମାନେ ହାତରେ ପ୍ଲାକାର୍ଡ ଧରି ଦିଶାଙ୍କ ମୁକ୍ତ କରିବା ପାଇଁ ନାରାବାଜି କରିଥିଲେ ।

ଦିଲ୍ଲୀ ଭଳି ମୁମ୍ବାଇରେ ମଧ୍ୟ ଦିଶାଙ୍କ ସମର୍ଥନରେ ଆନ୍ଦୋଳନ କରାଯାଇଛି । ତାଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତା । ସେ କିଭଳି ଦେଶ ପାଇଁ ବିପଦ ପ୍ରଶ୍ନ କରିବା ସହ ଦିଲ୍ଲୀ ପୋଲିସ ଜାଣିଶୁଣି ଏଭଳି ଗିରଫ କରିଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ।

ଦିଶାଙ୍କୁ ବେଙ୍ଗାଲୁରରୁ ଅଚାନକ ଉଠାଇବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସାମାଜିକ କର୍ମୀ , ବିଭିନ୍ନ ଛାତ୍ର ସଂଗଠନ ଓ ପରିବେଷ କର୍ମୀ । ତାଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସମାଜିକ କର୍ମୀ । ଦୁଇ ଦିନ ହେଲା କର୍ଣ୍ଣାଟକର ବେଙ୍ଗାଲୁର ସମେତ ବିଭିନ୍ନ ସ୍ଥାନରେ ଜାରି ରଖିଛନ୍ତି ବିକ୍ଷୋଭ । ଏପରିକି ଦିଶାଙ୍କ ଗିରଫ ପ୍ରତିବାଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି, ବିଶିଷ୍ଠ ଐତିହାସିକ ରାମଚନ୍ଦ୍ର ଗୁହା । ଗିରଫଦାରୀକୁ ବେଆଇନ କହିବା ସହ ଏହା ରାଷ୍ଟ୍ରର ଅତ୍ୟଧିକ ପ୍ରତିକ୍ରିୟା ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ।

ଦେଶର ଦିଶାଙ୍କ ପ୍ରତି ସମର୍ଥନ ବଢ଼ୁଥିବାବେଳେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରର ବିଜେପି ସରକାର ପ୍ରଶ୍ନ ଘେରରେ ଛନ୍ଦି ହୋଇଯାଇଛନ୍ତି । ସରକାର ଓ ପୋଲିସ ଟୁଲକିଟକୁ କାହିଁକି ଏତେ ଗୁରୁତ୍ୱ ଦେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।