ଥାନା ଭିତରେ ଥାର୍ଡ ଡିଗ୍ରୀ ! ଦାଦାବଟି ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଅକଥନୀୟ ନିର୍ଯାତନା ଅଭିଯୋଗ: ଥାନା ଆଗରେ ପରିବାର ଲୋକ ଓ ମହିଳା କଂଗ୍ରେସ କର୍ମୀଙ୍କ ଧାରଣା

ରାଜ୍ୟ ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ । କେନ୍ଦ୍ରାଂଚଳ ଡିଆଇଜିଙ୍କ ତତ୍ୱାବଧାନରେ ହେବ ତଦନ୍ତ

212

କନକ ବ୍ୟୁରୋ: ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ବିବାଦ ଥମି ନଥିବାବେଳେ ପିପିଲିରୁ ଆସିଛି ହାଜତ ଭିତରେ ଥାର୍ଡ ଡିଗ୍ରୀ ଅଭିଯୋଗ । ଅଭିଯୋଗ ଅନୁସାରେ ଦାଦାବଟି ଆଦାୟ କରିବା ମାମଲାରେ ୬ ଜଣଙ୍କୁ ପିପିଲି ପୋଲିସ ଗିରଫ କରିଥିଲା । ଗିରଫ କରିବା ପରେ ଅଭିଯୁକ୍ତମାନଙ୍କୁ ଥାନା ହାଜତରେ ପୁଲିସ ସେମାନଙ୍କୁ ୭ ଦିନ ଧରି ଅକଥନୀୟ ନିର୍ଯାତନା ଦେଇଥିଲା । ଫଳରେ ସେମାନଙ୍କ ଦେହରେ ନୋଳା ବସି ମାଂସ ପଚିଯିବା ସହ ମଳଦ୍ୱାରରେ ଗଭୀର କ୍ଷତ ହୋଇଛି ବୋଲି ଅଭିଯୋଗ ହୋଇଛି । ଗୁରୁବାର ବାସେଳି ସାହି ଥାନାରେ ହାଜତ ମ୍ୟୃତ୍ୟୁ ଘଟଣାରେ ସାରା ରାଜ୍ୟରେ ତମ୍ବିତୋଫାନ ହେବା ପରେ ପୁଲିସ ମନରେ ଛନକା ପଶିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ଏହାପରେ ସେମାନଙ୍କୁ ନିମାପଡା ଜେଲକୁ ପଠାଇଥିଲା । ହେଲେ ସେମାନଙ୍କ ଅବସ୍ଥା ଦେଖି ଜେଲ କର୍ତୁପକ୍ଷ ବି ଫେରାଇ ଦେଇଥିବା ଜଣାପଡିଛି ।

ବିନା ଡାକ୍ତରୀ ପରୀକ୍ଷାରେ ସେମାନଙ୍କୁ ଜେଲରେ ରଖିବେ ନାହିଁ ବୋଲି କହିଥିଲେ ଜେଲ କର୍ତୁପକ୍ଷ । କିଛି ଉପାୟ ନପାଇ ଶେଷରେ ଅଭିଯୁକ୍ତମାନଙ୍କୁ ନିମାପଡା ହସ୍ପିଟାଲକୁ ଆଣିଥିଲା । କିନ୍ତୁ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି କଟକ ବଡ ମେଡିକାଲକୁ ରେଫର କରିଥିଲେ । ଏହା ପରେ ଗୁରୁତର ହୋଇଥିବା ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି । ପୋଲିସର ଥାର୍ଡ ଡିଗ୍ରୀରେ ୫ଜଣ ଗୁରୁତର ହେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସେମାନଙ୍କ ସମ୍ପର୍କୀୟ । ସ୍ଥାନୀୟ ଅଂଚଳରେ ଉତେଜନା ବଢ଼ିବାରେ ଲାଗିଛି ।

ଅଭିଯୁକ୍ତମାନଙ୍କ ସମ୍ପର୍କୀୟମାନେ ପିପିଲି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ଏବଂ ଉଚିତ ତଦନ୍ତର ପ୍ରତିଶ୍ରୁତି ପରେ ଧାରଣାରୁ ସେମାନେ ଓହରି ଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରତାପ ବେହେରା, ହାପିଜ ଖାନ, ଜଗନ୍ନାଥ ପୁଷ୍ପାଳକ , ମହମ୍ମଦ ତଫିକ, ଧରଣୀଧର ବେହେରା ଓ ଅର୍ଜ୍ଜୁନ ବେହେରାଙ୍କୁ ଗିରଫ କରିଛି ପୋଲିସ । ପରିସ୍ଥିତିର ଗୁରୁତ୍ୱକୁ ଦେଖି କେନ୍ଦ୍ରାଂଚଳ ଡିଆଇଜିଙ୍କ ଦ୍ୱାରା ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।