ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଥମୁନି ଅଣ୍ଡାମାଡ଼ ଓ ପ୍ରତିବାଦ । କଳାହାଣ୍ଡି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ

82

କନକ ବ୍ୟୁରୋ: ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିଛି । ଓଡିଶାର ପୁର ପଲ୍ଲୀରୁ ଦିଲ୍ଲୀ ଯାଏଁ ମମିତାଙ୍କ ନ୍ୟାୟ ଦାବିରେ ବିରୋଧୀ ବିକ୍ଷୋଭ କରୁଛନ୍ତି । କଳାହାଣ୍ଡି ଗସ୍ତରେ ଯାଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ଦିଲ୍ଲୀ ଓଡିଶା ଯୁବ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିବା ବେଳେ ଏପଟେ ରାଜଧାନୀରେ ବିକ୍ଷୋଭ କରିଛି ଏବିଭିପି ଛାତ୍ର ସଂଗଠନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି ।

ଏହି ଘଟଣାରେ ମନ୍ତ୍ରୀଙ୍କ ଗାଡି ଉପରକୁ ପୁଣି ହେଇଛି ଅଣ୍ଡାମାଡ । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କଳାହାଣ୍ଡି ଗସ୍ତରେ ଯାଇଥିବା ବେଳେ ଥୁଆମୁଳ ରାମପୁରରେ କଂଗ୍ରେସ ପକ୍ଷରୁ ତାଙ୍କୁ ଅଣ୍ଡା ମାଡ କରାଯାଇଛି । ସେହିପରି ମମିତା ମେହେର ପ୍ରସଙ୍ଗରେ ଦିଲ୍ଲୀରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛି ଓଡିଶା ଯୁବ କଂଗ୍ରେସ । ଏପଟେ ମୟୁରଭଂଜରେ ମଧ୍ୟ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ । ପୁଲିସ ଉପରକୁ ହୋଇଛି ଅଣ୍ଡାମାଡ । ବାରିପଦାରେ ଏସପି ଅଫିସ ଘେରାଓ ବେଳେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ସେହିଭଳି ରାଜଧାନୀରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନବୀନ ନିବାସ ଘେରାଓ କରିବାକୁ ଯିବାବେଳେ ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇଛି । ମମିତା ହତ୍ୟା ଘଟଣାରେ ଆଗକୁ ମଧ୍ୟ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ ବରଗଡରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବାରେ ବିଜେଡି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ସେ କହିଛନ୍ତି । ଆସନ୍ତା ୧୩ ତାରଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ବରଗଡ ଯିବାକୁ ଥିବା ବେଳେ ସେହି କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ ।

ବିରୋଧୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ମନ୍ତ୍ରୀଙ୍କୁ ଗୋଟିଏ ପ୍ରକାର କ୍ଲିନଚିଟ ଦେଇ ସାରିଛନ୍ତି । ଏବେ ବିରୋଧୀଙ୍କ ପ୍ରତିବାଦ ଆଗକୁ କେତେ ଶାଣିତ ହେଉଛି ତାହା ଉପରେ ନଜର ।