ଭୁବନେଶ୍ୱରରେ ବନ୍ଦର ପ୍ରଭାବ । ବର୍ଷାରେ ମାଷ୍ଟରକ୍ୟାଣ୍ଟିନରେ ଛତା ଧରି ଆନ୍ଦୋଳନ

ସେପଟେ ରାସ୍ତାରେ ଦରିି ପକାଇ ଧାରଣା

126

କନକ ବ୍ୟୁରୋ : ଭାରତ ବନ୍ଦ ବେଳେ ମାତିଲେଣି ଆନ୍ଦୋଳନକାରୀ । ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଂଟିଆ ଭାରତ ବନ୍ଦର ପ୍ରଭାବ ସକାଳୁ ସକାଳୁ ସେତେଟା ଦେଖା ଯାଉନଥିଲା । ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଦେଖାନଥିଲା । ହେଲେ ଦିନ ବଢିବା ସହିତ ରାସ୍ତାରେ ପ୍ରତିବାଦକାରୀଙ୍କ ଭିଡ ବଢିବାରେ ଲାଗିଛି । ଏ ହେଉଛି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକର ଦୃଶ୍ୟ । ଯେତେବେଳେ ଜଣେ ଆନ୍ଦୋଳନକାରୀ ଜୋରଜବରଦସ୍ତ ମୋ ବସକୁ ଅଟକାଇ ଦେଉଛନ୍ତି ।

ଆନ୍ଦୋଳନକାରୀ ଆଜି ପିକେଟିଂ କରି ରାସ୍ତାରେ ଚଳାଚଳ କରୁଥିବା ଗାଡି ମୋଟରକୁ ଅଟକାଉଥିବା ଦେଖାଯାଇଥିଲା । ଏତିକି ବେଳେ ବନ୍ଦବେଳେ କାହିଁକି ମୋ ବସ ଚଳାଉଛ କହି ଡ୍ରାଇଭରଙ୍କୁ ବାଧା ଦେଇଥିଲେ ଆନ୍ଦୋଳନକାରୀ । ଏପରିକି ବସକୁ ଅଟକାଇବା ସହ ଡ୍ରାଇଭରଙ୍କ ଉପସ୍ଥିତିରେ ବସର ଚାବି ଛଡାଇ ଆଣିଥିଲେ । ବଡକଥା ହେଉଛି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ହେବ ବୋଲି ଘୋଷଣା କରିଥିଲେ କୃଷକ ସଂଗଠନ ଓ ସମର୍ଥନ ଜଣାଉଥିବା ରାଜନୈତିକ ଦଳ । ହେଲେ ପିକେଟିଂ ବେଳେ ଆନ୍ଦୋଳନକାରୀ ରାସ୍ତା ଉପରେ ମୋ ବସକୁ ଠିଆ କରି ଚାବି ଛଡାଇ ଆଣିବା ଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ସେହି ମାଷ୍ଟର କ୍ୟାଂଟିନ ଛକରେ ବର୍ଷାରେ ପ୍ରତିବାଦ କରୁଛନ୍ତି ଆନ୍ଦୋଳନକାରୀ । ବତ୍ୟା ଗୁଲାବ ଚାଲିଯିବା ପରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ଭୁବନେଶ୍ୱରରେ ଆଜି ସକାଳୁ ପୁଣି ବର୍ଷା ହୋଇଥିବାବେଳେ ପ୍ରତିବାଦକାରୀ ହାତରେ ଛତା ଧରି ରାସ୍ତାରେ ଆନ୍ଦୋଳନ କରୁଥିବା ଦେଖାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଂଟିଆ ଭାରତ ବନ୍ଦକୁ ସମର୍ଥନ କରି ରାଜ୍ୟରେ କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ କାଁ ଭାଁ କେତେକ ସ୍ଥାନରେ ବନ୍ଦର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି ।

ଏପଟେ ରାସ୍ତା ଉପରେ ପାଲ ପକାଇ ବସିରହିଛନ୍ତି ଆନ୍ଦୋଳନକାରୀ । ଧରଣାର ନିଆରା ଦୃଶ୍ୟ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ବାମଦଳ, ସର୍ବଭାରତୀୟ କୃଷକ ମୋର୍ଚ୍ଚାର ଆହ୍ୱାନରେ ଓଡିଶା କୃଷକ ମୋର୍ଚ୍ଚା ଓ ଅନ୍ୟ ଶ୍ରମିକ ସଂଗଠନର ଅଳ୍ପ କେତେକ ସଦସ୍ୟ ଏହି ପ୍ରତିବାଧ ଧାରଣାରେ ବସିରହିଥିବା ଦେଖାଯାଇଛି । ରାସ୍ତାର ଗୋଟିଏ ପାଳକୁ ଅବରୋଧ କରି ବସିରହିଛନ୍ତି ଆନ୍ଦୋଳନକାରୀ ।