କନକ ବ୍ୟୁରୋ: ବିଜେପିରେ ବଢୁଛି ବିଦ୍ରୋହ । ଅସନ୍ତୁଷ୍ଟ କର୍ମୀଙ୍କ ହଙ୍ଗାମା । ଟିକେଟ୍ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ । ଦିନ ତମାମ୍ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା ଦେଖିବାକୁ ମିଳୁଛି । ଶହ ଶହ କର୍ମୀଙ୍କ ସହ ନେତାମାନେ ଆସି ଭୁବନେଶ୍ୱରରେ ବାଇକ୍ ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

  • ଅସନ୍ତୋଷ, ବିଦ୍ରୋହ ଏବଂ ଶକ୍ତି ପ୍ରଦର୍ଶନ
  • ବିଜେପି କାର୍ଯ୍ୟାଳୟରେ ହାଇଡ୍ରାମା

ପ୍ରାର୍ଥୀ ଘୋଷଣା ପରଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି ହାଇଡ୍ରାମା । କେବେ ଅସନ୍ତୋଷ ଆଶାୟୀଙ୍କ ବିଦ୍ରୋହ ତ କେବେ ପୁଣି ଟିକେଟ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ପ୍ରାର୍ଥୀ । ଆଉ ଟିକେଟ ପାଇବା ପରେ କଟିବା ଆଶଙ୍କାରେ ପ୍ରାର୍ଥୀ ବି ସମର୍ଥକଙ୍କୁ ଧରି ଭୁବନେଶ୍ୱର ଆସୁଛନ୍ତି । ମଙ୍ଗଳବାର ବି ରାଜ୍ୟ ବିଜେପି ଅଫିସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

  • ଭୁବନେଶ୍ୱରରେ ଜଗତସିଂହପୁର ବିଜେପି ରାଜନୀତି
  • ସମର୍ଥକଙ୍କ ସହ ଜିଲ୍ଲା ସଭାପତି ଦେଖାଇଲେ ପତିଆରା

ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ କିନ୍ତୁ ନେତା ଦେଖାଉଛନ୍ତି ଦମ୍ । ଭୁବନେଶ୍ୱର ରାଜ୍ୟ ଅଫିସରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ସମର୍ଥକଙ୍କ ସହ ଏକାଠି ହୋଇଥିଲେ । କିଛି ଦିନ ତଳେ ଅମରେନ୍ଦ୍ର ଦାସ ବିଜେଡି ଛାଡି ବିଜେପିରେ ମିଶିଥିଲେ । ତେଣୁ ଦଳ ଅମରେନ୍ଦ୍ରଙ୍କୁ ଜଗତସିଂହପୁରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ସତ୍ୟବ୍ରତ ଓ ତାଙ୍କ ସମର୍ଥକ ବିଜେପି ଅଫିସ ସମ୍ମୁଖରେ ଏକାଠି ହୋଇ ଟିକେଟ ପାଇଁ ରାଜ୍ୟ ନେତୃତ୍ୱ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛନ୍ତି ।

  • ବଢୁଛି ବିଜେପିର ଧର୍ମଶାଳା ଅଡୁଆ
  • ଦ୍ୱିତୀୟ ଥର ପାଇଁ ହିମାଂଶୁ ସମର୍ଥକଙ୍କ ହଙ୍ଗାମା

ଧର୍ମଶାଳାର ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି ପ୍ରଚାର ଆରମ୍ଭ କଲେଣି । ଏପଟେ କିନ୍ତୁ ତାଙ୍କୁ ପରିବର୍ତନ କରିବା ଦାବିରେ ଭୁବନେଶ୍ୱରରେ ପୁଣିଥରେ ପାୱାର ଶୋ କରିଛନ୍ତି ବିରୋଧୀ ହିମାଂଶୁ ଶେଖର ସାହୁଙ୍କ ଗୋଷ୍ଠୀ । ଦୁଇ ଦୁଇଥର ରାଜଧାନୀ ଆସିଲେଣି ସମର୍ଥକ । ଧର୍ମଶାଳାରୁ ହିମାଂଶୁଙ୍କ ସମର୍ଥକ ବିରାଟ ବାଇକ ରାଲିରେ ଆସି ଭୁବନେଶ୍ୱର ଅଫିସରେ ହଙ୍ଗାମା କରିଛନ୍ତି । ହିମାଂଶୁଙ୍କୁ ଟିକେଟ ଦେବାକୁ ଦାବି କରୁଛନ୍ତି ସମର୍ଥକ । ଟିକେଟ ଘୋଷଣା ପରେ ହିଁ ଗତ ସପ୍ତାହରେ ୨ ଦିନ ଧରି ରାଜ୍ୟ ବିଜେପି ଅଫିସରେ ଧାରଣାରେ ବସିଥିଲେ । ରାଜ୍ୟ ନେତୃତ୍ୱଙ୍କଠାରୁ ପ୍ରତିଶ୍ରୃତି ପାଇବା ପରେ ନିର୍ବାଚନମଣ୍ଡଳୀ ଫେରିଥିଲେ । ତେବେ ଏଥର ଟିକେଟ ନ ପାଇଲା ଯାଏଁ ପାର୍ଟି ଅଫିସ ଛାଡିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ସମର୍ଥକ । ଆଉ ଏହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ଅକଳରେ ପଡିଯାଇଛନ୍ତି ।

ତେବେ କେବଳ ଧର୍ମଶାଳା ନୁହେଁ ବାଙ୍କୀ, ଜୟଦେବ, ଦିଗପହଣ୍ଡି , କୋରେଇ, ମହାକାଳପଡା, ସୋର ଭଳି ଆସନରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖାଦେଇଛି । ତେଣୁ କିଛି ଆସନରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।