ନିଶ୍ଚିନ୍ତକୋଇଲି ବ୍ଲକ ଷ୍ଟ୍ରଙ୍ଗରୁମରେ ଅବ୍ୟବସ୍ଥା । ସିସିଟିଭି ନଥିବା ସହ ଜଗିଛନ୍ତି ମାତ୍ର ଜଣେ ସୁରକ୍ଷାକର୍ମୀ, ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା ।

112

କନକ ବ୍ୟୁରୋ : ନିଶ୍ଚିନ୍ତ କୋଇଲି ବ୍ଲକ ଷ୍ଟ୍ରଙ୍ଗରୁମରେ ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଷ୍ଟ୍ରଙ୍ଗ ରୁମରେ ୪୧ଟି ପଞ୍ଚାୟତର ବାଲାଟ ବକ୍ସ ରହିଥିବା ବେଳେ ଜଣେ ମାତ୍ର ସୁରକ୍ଷାକର୍ମୀ ରହିଛନ୍ତି । ଷ୍ଟ୍ରଙ୍ଗରୁମରେ ସିସିଟିଭିର ବ୍ୟବସ୍ଥା ନାହିଁ । ଏହାକୁ ନେଇ ସୁକରପଡା ବଜାରରେ ବିରୋଧ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ । କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ଲୋକେ ପ୍ରତିବାଦ କରିଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ବିଡିଓ, ପୁଲିସ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କଡା ସୁରକ୍ଷା ବ୍ୟବସ୍ଥାର ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ବିଡିଓ, ପୁଲିସ ଅଧିକାରୀଙ୍କ ସହ ଲୋକେ ଷ୍ଟ୍ରଙ୍ଗରୁମ ନିକଟକୁ ଯାଇ ତୁରନ୍ତ କଡା ବ୍ୟବସ୍ଥା ଓ ସିସିଟିଭି ଲଗାଇବାକୁ ଅଡି ବସିଛନ୍ତି । ତୁରନ୍ତ ସିସିଟିଭି ଓ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ କରାନଗଲେ ପୁଣି ରାସ୍ତାରୋକ କରିବେ ବୋଲି ଜିଦ୍ କରୁଛନ୍ତି ସୁକରପଡା ଓ ଆଖପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ।